ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଯୁବ ଅଧିନାୟକ ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ରେ ଦ୍ଵିଶତକ ହାସଲ କରିଛନ୍ତି।ନିଜର ଏହି ଇନିଂସ ଜରିଆରେ ଗିଲ୍ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଏଜବାଷ୍ଟନରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଗିଲ୍ ୩୧୧ ବଲ୍ରେ ୨୦୦ ରନ ପୂରଣ କରିଛନ୍ତି। ଏହା ସହିତ ଶୁଭମନ ଗିଲ୍ ସେନା ଦେଶରେ ଦ୍ଵିଶତକ ଲଗାଇବାରେ ପ୍ରଥମ ଏସିଆ ଅଧିନାୟକ ହେବାର ଉପଲବ୍ଧି ହାସଲ କରିଛି। ଗିଲ୍ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍ରେ ଭାରତ ପାଇଁ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଗିଲ୍ ୧୯୭୯ରେ ଓଭାଲରେ ସୁନୀଲ ଗାଭାସ୍କରଙ୍କ ୨୨୧ ରନକୁ ପଛରେ ପକାଇଛନ୍ତି।
ଏଥିସହ ତାରକା ବ୍ୟାଟର ଶୁଭମନ ଗିଲ୍ଙ୍କ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ସ୍କୋର କରିଛନ୍ତି। ଅଧିନାୟକ ଭାବେ ଗିଲ୍ ନିଜର ତୃତୀୟ ଇନିଂସରେ ଦ୍ଵିଶତକ ପୂରା କରିଛନ୍ତି। ଏହା ସହିତ ସୁନୀଲ ଗାଭାସ୍କରଙ୍କ ରେକର୍ଡର ସମକକ୍ଷ କରିଛନ୍ତି। ଗାଭାସ୍କର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୧୯୭୮ରେ ୨୦୫ ରନ କରିଥିଲେ।
ଶୁଭମନ ଗିଲ୍ ଭାରତ ପାଇଁ ଅଧିନାୟକ ଭାବେ ଟେଷ୍ଟରେ ଶତକ ଅର୍ଜନ କରିବାରେ ଦ୍ଵିତୀୟ ସବୁଠୁ ଯୁବ(୨୫ ବର୍ଷ ୨୯୮ ଦିନ) ଖେଳାଳି ହୋଇଛନ୍ତି। ସବୁଠୁ କମ ବୟସରେ ଶତକ କରିବାର ରେକର୍ଡ ମନସୁର ଅଲୀ ଖାନ ପଟୌଦୀଙ୍କ ନାଁ ଶୀର୍ଷରେ ରହିଛି। ସେ ୨୩ ବର୍ଷ ୩୯ ଦିନରେ ଅଧିନାୟକ ଭାବେ ଦ୍ଵିଶତକ ଅର୍ଜନ କରିଥିଲେ। ସଚିନ ତେନ୍ଦୁଲକର ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୯୯ରେ ୨୬ ବର୍ଷ ୧୮୯ ଦିନରେ ଏହି କମାଲ କରିଥିଲେ। ବିରାଟ କୋହଲି ୨୦୧୬ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ଵିଶତକ ଅର୍ଜନ କରିଥିଲେ। ସେହି ସମୟରେ କୋହଲିଙ୍କ ବୟସ ୨୭ ବର୍ଷ ୨୬୦ ଦିନ ହୋଇଥିଲା।
ଭାରତୀୟ ଅଧିନାୟକ ଭାବେ ଟେଷ୍ଟରେ ଦ୍ଵିଶତକ ମାରିବାରେ ଗିଲ୍ ଷଷ୍ଠ ବ୍ୟାଟର। ମନସୁର ଅଲୀ ଖାନ ପଟୌଦୀ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ଏମଏସ ଧୋନୀ ଗୋଟିଏ ଲେଖାଏଁ ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ସାତ ଦ୍ଵିଶତକ ଅର୍ଜନ କରିଛନ୍ତି।