ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ଖବର। ହାଇବ୍ରିଡ ମଡେଲରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ୨୦୨୫। ଏପରିକି ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୨୭ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ମୁକାବିଲା ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯିବ। ଏ ନେଇ ଗୁରୁବାର ଆନୁଷ୍ଠାନିକ ଘୋଷଣା କରିଛି ଆଇସିସି।
ଆଇସିସି ଅନୁଯାୟୀ, ୨୦୨୭ ପର୍ଯ୍ୟନ୍ତ ଆଇସିସିର କୌଣସି ବି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲା ନିରପେକ୍ଷ ସ୍ଥାନରେ ଖେଳାଯିବ। ଆସନ୍ତାବର୍ଷ ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ଓ ମାର୍ଚ୍ଚରେ ପାକିସ୍ତାନରେ ଖେଳାଯିବ। ପୁଣି ୨୦୨୫ରେ ଆଇସିସି ମହିଳା କ୍ରିକେଟ୍ ବିଶ୍ଵକପ୍ ଭାରତରେ ଖେଳାଯାଉଥିବା ବେଳେ ୨୦୨୬ରେ ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ।
ଏଥିସହ ଆଇସିସି ପାକିସ୍ତାନକୁ ବଡ଼ ଖୁସିର ଖବର ଦେଇଛି। ଏହା ଅନୁଯାୟୀ, ମହିଳା ଟି-୨୦ ବିଶ୍ଵକପ୍ ୨୦୨୮ ପାକିସ୍ତାନରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯିବ। ଆଇସିସି ପାକିସ୍ତାନକୁ ଆୟୋଜନ ଅଧିକାର ଦେଇଥିବା ବେଳେ ଭାରତ ନିଜର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ।
ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଅଂଶଗ୍ରହଣ କରୁଥିବା ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତିଟି ଗ୍ରୁପର ଶୀର୍ଷ ଦୁଇ ଦଳ ସେମି ଫାଇନାଲ୍ରେ ପହଞ୍ଚିବେ। ଏହା ପରେ ଫାଇନାଲ୍ ମୁକାବିଲା ଖେଳାଯିବ। କିନ୍ତୁ ଏ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିର କ୍ରୀଡ଼ାସୂଚୀ ଘୋଷଣା ହୋଇନି। ଆଶା କରାଯାଉଛି ଶୀଘ୍ର ଚାମ୍ପିଅନ୍ସ ଟ୍ରଫିର ସିଡ୍ୟୁଲ୍ ଜାରି କରାଯିବ।