ନୂଆଦିଲ୍ଲୀ: ସଂସଦ ଭବନ ପରିସରରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି । ରାହୁଲ ଗାନ୍ଧୀଙ୍କ ଯୋଗୁଁ ବିଜେପିର ଦୁଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହେବା ନେଇ ବିଜେପି ଆରୋପ ଲଗାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି କି ତାଙ୍କୁ ମଧ୍ୟ ବିଜେପି ସଦସ୍ୟ ଠେଲି ଦେଇଛନ୍ତି । ତାଙ୍କ ଆଣ୍ଠୁରେ ମଧ୍ୟ ଆଘାତ ଲାଗିଛି । ତେବେ ଉଭୟ ପକ୍ଷରୁ ସଂସଦ ମାର୍ଗ ଥାନା ମାମଲା ରୁଜୁ ହୋଇଛି ।
ଏତଲା ଆଧାରରେ ରାହୁଲ ଗାନ୍ଧୀଙ୍କ ଉପରେ ଗମ୍ଭୀର ଆରୋପ ଲାଗିଛି । ହତ୍ୟା ଉଦ୍ୟମ, ଜାଣିଶୁଣି ଆହାତ କରିବା, ଅପରାଧିକ ଧମକ ଆଦି ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତା ବିଏନଏସ୍ ଧାରା ୧୦୯ (ହତ୍ୟା ଉଦ୍ୟମ), ଧାରା ୧୧୫ (ସ୍ୱଇଚ୍ଛାରେ ଆଘାତ ଦେବା ), ଧାରା ୧୧୭ ( ଜାଣିଶୁଣି ଗମ୍ଭୀର ଆଘାତ ଦେବା), ଧାରା ୧୨୧ (ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରେ ବିଚଳିତ କରିବା), ଧାରା ୩୫୧ (ଅପରାଧିକ ଧମକ) ଓ ଧାରା ୧୨୫ (ଅନ୍ୟର ସୁରକ୍ଷାକୁ ସଙ୍କଟରେ ପକାଇବା) ଭଳି ମାମଲା ରୁଜୁ ହୋଇଛି ।
ତେବେ ସାଂସଦ ଅନୁରାଗ ଠାକୁର କହିଛନ୍ତି ଯେ ଆଇନ ଉଲ୍ଲଂଘନ କରିବା ରାହୁଲଙ୍କ ଅଭ୍ୟାସ । ତାଙ୍କ ଠେଲାପେଲାରେ ଦୁଇ ଜଣ ସାଂସଦ ତଳେ ପଡ଼ିଗଲେ ଏବଂ ତାଙ୍କୁ ଆଘାତ ଲାଗିଲା । କିନ୍ତୁ ଘଟଣା ପରେ ରାହୁଲ ଗାନ୍ଧୀଙ୍କ ଅହଙ୍କାର ଭାଙ୍ଗି ନାହିଁ ଏବଂ ସାଂସଦଙ୍କୁ ନ ଭେଟି ସଂସଦରୁ ବାହାରିଗଲେ । ରାହୁଲ ଗାନ୍ଧୀଙ୍କ ନିଜକୁ ଆଇନରେ ଉର୍ଦ୍ଧ୍ୱରେ ଭାବନ୍ତି ବୋଲି କହିଛନ୍ତି ଅନୁରାଗ ଠାକୁର ।କଂଗ୍ରେସର ଏତଲା ଦେବା ଉପରେ ଅନୁରାଗ ଠାକୁର ରାହୁଲଙ୍କ କଲା କର୍ମକୁ ମନେ ପକାଇ ଦେଇଛନ୍ତି । ନିଜ ସରକାରରେ ସେ ଆସିଥିବା ଅର୍ଡିନାନ୍ସକୁ ଚିରି ଫିଙ୍ଗି ଦେଇଥିଲେ । ଇଏ ହେଉଛି ସେହି କଂଗ୍ରେସ ଯିଏ ବାବା ସାହେବ ଆମ୍ବେଦକରଙ୍କୁ ବାରମ୍ବାର ଅପମାନ କରିଛି ।