କଟକ: ନିଖୋଜ ଥିବା ଅବସର ପ୍ରାପ୍ତ ଅଧ୍ୟାପକଙ୍କ ମୃତ ଦେହ ମହାନଦୀରୁ ଉଦ୍ଧାର । କଟକ ଯୋବ୍ରା ଆନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଲାଗିଛି ଏହି ମୃତଦେହ । ମୃତକ ଜଣକ ହେଲେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ଅଧ୍ୟାପକ ବୈଷ୍ଣବ ଚରଣ ସିଂ (୭୮) । ମାଲଗୋଦାମ ଥାନା ପୁଲିସ ତଦନ୍ତ ଜାରି ରଖିଛି ।
ମଙ୍ଗଳବାର ସକାଳେ ଯୋବ୍ରା ଆନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଏକ ମୃତ ଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ଏ ନେଇ ମାଲଗୋଦାମ ଥାନାକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲା । ପରେ ଜଣାପଡ଼ିଥିଲା ଯେ ମୃତ ଦେହଟି ଅବସର ପ୍ରାପ୍ତ ଅଧ୍ୟାପକ ବୈଷ୍ଣବ ଚରଣ ସିଂଙ୍କର । ତାଙ୍କ ଘର ବାରଙ୍ଗ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ମାଲଗୋଦାମ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ଏ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ ।
ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅବସର ପ୍ରାପ୍ତ ଅଧ୍ୟାପକ ବୈଷ୍ଣବ ଚରଣ ସିଂ ଦୁଇ ଦିନ ହେବ ନିଖୋଜ ଥିଲେ । ଡିସେମ୍ବର ୧୫ ତାରିଖ ଦିନ ତାଙ୍କ ପରିବାର ପକ୍ଷରୁ ନନ୍ଦନକାନନ ଥାନାରେ ନିଖୋଜ ଥିବା ନେଇ ଏତଲା ଦେଇଥିଲେ । ତେବେ ଆଜି ତାଙ୍କ ମୃତ ମିଳିଛି ।