ଜବଲପୁର: ସ୍ୱାମୀଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ ଜଣେ ଯୁବତୀଙ୍କୁ ଛୁରୀରେ ହାଣି ହତ୍ୟା କରିଛନ୍ତି ଜଣେ ମହିଳା। ବଞ୍ଚାଇବାକୁ ଆସିଥିବା ଅନ୍ୟ ଜଣକୁ ଗୁରୁତର କରିଛନ୍ତି। ହତ୍ୟା ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଏକ ନିର୍ମାଣ କମ୍ପାନୀର ଅପରେଟର ଏବଂ ମୃତକ ସେହି କମ୍ପାନୀର ଅଫିସରେ କାମ କରୁଥିଲେ। ମଧ୍ୟପ୍ରଦେଶର ଜବଲପୁର ସହରରେ ଏହି ଘଟଣା ଘଟାଇଥିବା ହତ୍ୟାକାରୀ ଶିଖା ମିଶ୍ରଙ୍କୁ ବିଳମ୍ବିତ ସନ୍ଧ୍ୟାରେ ପୁଲିସ ଗିରଫ କରିଛି।
ଶିଖା ସନ୍ଦେହ କରିଥିଲେ ଯେ ତାଙ୍କ ସ୍ୱାମୀ ବ୍ରଜେଶ ମିଶ୍ରଙ୍କର ସହରର ବଜରଙ୍ଗ ନଗରରେ ରହୁଥିବା ଅନିକା ମିଶ୍ରଙ୍କ ସହ ପ୍ରେମ ସମ୍ପର୍କ ରହିଛି। ମଙ୍ଗଳବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବୁଧବାର ବ୍ରଜେଶ ରାଗରେ ଘରୁ ବାହାରିଯାଇଥିଲେ। ମଧ୍ୟାହ୍ନ ବେଳକୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ଏହାକୁ ନେଇ ଶିଖାଙ୍କ ସନ୍ଦେହ ଆହୁରି ଗଭୀର ହୋଇଥିଲା। ସେ ଅନୁଭବ କଲେ ଯେ ବ୍ରଜେଶ ନିଶ୍ଚୟ ଅନିକାଙ୍କୁ ଭେଟିବାକୁ ଯାଇଥିବେ। ତେଣୁ ସେ ଫୋନ୍ ସୁଇଚ୍ ଅଫ୍ କରିଦେଇଥିବେ।
ଅପରାହ୍ନରେ ଶିଖା ତାଙ୍କ ସ୍ୱାମୀଙ୍କୁ ଖୋଜିବା ପାଇଁ ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ବ୍ରଜେଶଙ୍କୁ ମିଳୁନଥିଲା, ଅନିକାଙ୍କୁ ଠାବ କରାଯାଇଥିଲା। ଶିଖା ଅନିକାଙ୍କ ସହ କିଛି କଥାବାର୍ତ୍ତା କରିଥିଲେ ଏବଂ ତାଙ୍କୁ ତାଙ୍କ ସହିତ ଯିବାକୁ କହିଥିଲେ। ସେ ଅନିକାଙ୍କୁ ପ୍ରଫେସର କଲୋନିରେ ରହୁଥିବା ସୋନମ ରଜକଙ୍କ ଘରକୁ ନେଇଯାଇଥିଲେ। ସୋନମ୍ ହେଉଛନ୍ତି ଅନିକାଙ୍କ ବନ୍ଧୁ ଓ ସହକର୍ମୀ। ତାଙ୍କ ସାମ୍ନାରେ ଶିଖା ଅନିକା ଓ ବ୍ରଜେଶଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ।
ଶିଖାଙ୍କ ଅଭିଯୋଗକୁ ଅନିକା ବିରୋଧ କରିବାରୁ ସେ ରାଗି ଯାଇଥିଲେ। ସେ ତାଙ୍କ ପର୍ସରେ ଏକ ଛୁରୀ ଲୁଚାଇ ରଖିଥିଲେ। ସେ ଛୁରୀ ବାହାର କରି ଅନିକାଙ୍କ ପେଟରେ ଛୁରି ମାଡ଼ କରିଥିଲେ। ସୋନମ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଶିଖା ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଅନିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ସୋନମ୍ ଚିକିତ୍ସାଧୀନ ଅଛନ୍ତି।
ଅଧିକ ପଢ଼ନ୍ତୁ: ୨୦୩୦ ପର୍ଯ୍ୟନ୍ତ ଚୀନ ଆଶ୍ଚର୍ଯ୍ୟଜନକ ସ୍ଥିତିରେ ରଖିବ ପରମାଣୁ ବୋମା!