କଟକ: କଟକ କନ୍ଦରପୁର ନିକଟ କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୃତ ଦେହ ମିଳିବା ଘଟଣାରେ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି । ନାଁ ମୃତ ମହିଳାଙ୍କ ପରିଚୟ ମିଳୁଛି ନାଁ ଅଭିଯୁକ୍ତ ସନ୍ଧାନ ପାଉଛି ପୁଲିସ । ତେବେ ଘଟଣା ସ୍ଥଳରୁ ଜବତ ହୋଇଥିବା ସାମଗ୍ରୀକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି କଟକ ଡିସିପି ଜଗମୋହନ ମୀନା ।
ଡିସିପିଙ୍କ ସଦ୍ୟ ତମ ସୂଚନା ମୁତାବକ, ସ୍ଵତନ୍ତ୍ର ଟିମ ଏହାର ତଦନ୍ତ କରୁଛି । ଟେକ୍ନିକାଲ ଟିମ୍ ମଧ୍ୟ ଏଥିରେ ସାମିଲ ଅଛନ୍ତି । ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ କରିବା ହେଉଛି ପ୍ରଥମ ପ୍ରାଥମିକତା । ମୃତଦେହ ନିକଟରୁ ଜବତ ହୋଇଥିବା ପ୍ୟାଣ୍ଟ ପକେଟରୁ ମିଳିଥିବା ନ୍ୟୁ ଷ୍ଟାର୍ ଟେଲର ରସିଦ ନେଇ ସନ୍ଧାନ ଜାରି ରହିଛି । ଏହା ସହିତ ଆଧାର ଲିଙ୍କ ନେଇ ମୃତକଙ୍କ ଫିଙ୍ଗର ପ୍ରିଣ୍ଟ ନିଆଯାଇଛି । ମୃତକଙ୍କ ହାତରେ କୁଟା ଚିତାକୁ ମଧ୍ୟ ସନ୍ଧାନ କରାଯାଉଛି । ଏହା ସହିତ ବାବା ବଳିଆ ଆଶ୍ରମକୁ ପୋଲିସ ଟିମ ଯାଇ ପଚରାଉଚରା କରୁଛି।
ମୃତଦେହ ନିକଟରୁ ଜବତ ହୋଇଥିବା ଝିଅ ପିଲାର କପଡ଼ା, ଗୁଟଖା, ହର୍ଲିକ୍ସ, ସାର୍ଟ ପ୍ୟାଂଟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରାଯାଉଛି । ୭୨ ଘଣ୍ଟା ପର୍ୟ୍ୟନ୍ତ ଶବଗୃହ ଭିତରେ ରହିବ ମୃତଦେହ । ଏହା ପରେ ନିୟମ ଅନୁଯାୟୀ ପୋଲିସ ଶବଦାହ କରିବ ବୋଲି ଡିସିପି କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି କନ୍ଦରପୁର ଥାନା ପରମହଂସ ବ୍ରିଜ୍ ନକଟରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ ଏକ ଚାପର ସାହାଯ୍ୟରେ ଗଳାକାଟି ହତ୍ୟା କରାଯାଇଥିବା ପୁଲିସ କହିଛି । ମହିଳାଙ୍କ ମୁହଁକୁ ସମ୍ପୂର୍ଣ୍ଣ ବିକୃତ କରାଯାଇଛି । ଫଳରେ ତାଙ୍କୁ ଚିହ୍ନଟ କରିବା ଅସମ୍ଭବ ହୋଇପଡ଼ିଛି । ତାଙ୍କର ଗୋଟିଏ ହାତରେ ଓମ୍ ବାବା ବଳିଆ, ମାତା ଏବଂ ଆଉ ଗୋଟିଏ ହାତରେ କେପିଏସ୍ଏମ୍ ଓ ପିଆଇଟିଏ ଲେଖାଯାଇଥିବା ପୁଲିସ ସୂଚନା ଦେଇଥିଲା ।