ବଲାଙ୍ଗୀର:ସାମାନ୍ୟ ଗଞ୍ଜେଇ ଟାଣିବାକୁ କେନ୍ଦ୍ରକରି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁରେ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ଉପୁଜିଛି। ନିଶାସକ୍ତମାନେ ଉଭ୍ୟକ୍ତ ହୋଇ ଏକ ଘର ଜାଳିଦେବା ସହ ଆକ୍ରମଣରେ ଦୁଇପକ୍ଷର ୫ଜଣ ଲହୁଲୁହାଣ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଜିତ ମିର୍ଦ୍ଧା, ରମାକାନ୍ତ ମିର୍ଦ୍ଧା, ହୀରାଲାଲ ଜଗଦଲା, ମମତା ଜଗଦଲା ଏବଂ ସୁନୀଲ ଜଗଦଲା ରହିଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ ଆକ୍ରମଣକାରୀ ଏବଂ ଆହତମାନେ ସ୍ଥାନୀୟ ଅଞ୍ଚଳର ଅଟନ୍ତି।
ସୂଚନାଯୋଗ୍ୟ ଯେ, ଗତ କାଲି ସଂଧ୍ୟାରେ କେତେଜଣ ଯୁବକ ଜଗଦଲା ପରିବାର ବ୍ୟବହାର କରୁଥିବା ଏକ ଚାଳଛପର ଘର ପଛପଟେ ବସି ଗଞ୍ଜେଇ ଟାଣୁ ଥିଲେ। କାଳେ ନିଆଁ ଘରକୁ ଲାଗିଯିବ, ସେଥିପାଇଁ ଘରର ମହିଳାମାନେ ସେମାନଙ୍କୁ ମନା କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସଂପୃକ୍ତ ଯୁବକମାନେ ସେଠାରୁ ଚାଲିଯାଇ କିଛିସମୟ ପରେ ପୁଣି ଫେରିଥିଲେ ଏବଂ ମାରଣାସ୍ତ୍ରରେ ଆଖିବୁଜି ଆକ୍ରମଣ କରିଥିଲେ। ଏଥିରେ ଜଣେ ଶିଶୁ, ବୃଦ୍ଧା ସହ ସମୁଦାୟ ୫ଜଣ ଲହୁ ଲୁହାଣ ହୋଇଥିଲେ। ଅବଶ୍ୟ ଉଭୟ ପଟରୁ ମାରପିଟ ହେବାପରେ ନିଶାସକ୍ତ ଆକ୍ରମଣକାରୀମାନେ ଘରେ ନିଆଁ ଲଗାଇଦେଇ ଓ ସେଠାରୁ ଫେରାର ମାରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ଉଦ୍ଧାରକରି ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଗୋଷ୍ଠୀ ସଂଘର୍ଷ ସମ୍ପର୍କରେ ଖବରପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।