ବଲାଙ୍ଗୀର: ଇଟା ଭାଟି ମାଲିକଙ୍କ ନିର୍ଯ୍ୟାତନା ପୁଣି ଜଣେ ଦାଦନ ଶ୍ରମିକଙ୍କ ଜୀବନ ନେଇଛି । ପେଟପାଟଣା ପାଇଁ ହ୍ରାଇଦ୍ରାବାଦକୁ କାମ କରିବାକୁ ଯାଇଥିବା ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଦାଦନ ଶ୍ରମିକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ପଣ୍ଡାମୁଣ୍ଡା ପଞ୍ଚାୟତ କୁହାବାଉଁସ ଗ୍ରାମର ଶିବ ମାଝି । ମାଲିକଙ୍କ ନିର୍ଯ୍ୟାତନା ଏବଂ ଚିକିସ୍ଚାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ପାଟଣାଗଡ ବ୍ଲକ କୁହାବାଉଁସ ଗାଁର ଶିବ ମାଝି ନିଜ ସ୍ତ୍ରୀ ରାଇବତି ମାଝୀଙ୍କ ସହିତ ଗାଁର ଅନ୍ୟ କିଛି ପରିବାର ସହିତ ଦାଦନ ଖଟିବାକୁ ଯାଇଥିଲେ । ଖପ୍ରାଖୋଲର ସର୍ଦ୍ଦାର ଅଶୋକ ବାରିକଙ୍କ ତତ୍ୱାବଧାନରେ ହ୍ରାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ । ଏଥିପାଇଁ ସର୍ଦ୍ଦାର ଅଶୋକ ବାରିକ ଅଗ୍ରୀମ ୪୫ହଜାର ଟଙ୍କା ଲେଖାଏଁ ଦେଇଥିଲେ । ହାଇଦ୍ରାବାଦରେ ଏକମାସ ଧରି କାମ କରିବା ପରେ ଇଟାଭାଟି ମାଲିକ ବାରମ୍ବାର ନିର୍ଯାତନା ଦେଉଥିଲେ । ମାଲିକଙ୍କ ନିର୍ଯାତନା ସହି ନପାରି ଶିବ ଚିନ୍ତା କରି କରି ତାଙ୍କର ଦେହ ଖରାପ ହେବାକୁ ଲାଗିଥିଲା । ସ୍ତ୍ରୀ ରାଇବାତି ମାଲିକଙ୍କୁ ବାରମ୍ବାର ଏ ନେଇ ଗୁହାରୀ କରିଥିଲେ । କିନ୍ତୁ ନିଷ୍ଠୁର ମାଲିକ ନା ଏଥିପ୍ରତି ଧ୍ୟାନ ଦେଇ ଥିଲେ ନାଁ କୌଣସି ପ୍ରକାର ଚିକିତ୍ସା କରାଇଥିଲେ । ଏମିତିକି ତାଙ୍କୁ ଓଲଟା କାମ କରାଇଥିଲେ । ଫଳରେ ଶିବଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ସହିତ ଅନ୍ୟ ବନ୍ଧୁ ।
ଆଜି ଶିବ ମାଝୀଙ୍କର ମୃତ ଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସେଠାରେ ଥିବା ଶିବର ଭାଇ ଓ ପରିବାର ବର୍ଗକୁ ଉଦ୍ଧାର କରିବା ପାଇଁ ଦାବି କରାଯାଇଛି । ଶ୍ରମ ବିଭାଗ ଓ ସ୍ଥାନୀୟ ପୋଲିସ ସର୍ଦ୍ଦାର ଏବଂ ଇଟାଭାଟି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।