ବେଙ୍ଗାଲୁରୁ: ଅତୁଲ ସୁଭାଷ ମାମଲାରେ ବେଙ୍ଗାଲୁରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ପତ୍ନୀ ନିକିତା ସିଂଘାନିଆଙ୍କୁ ପୁଲିସ ଗୁରୁଗ୍ରାମରୁ ଗିରଫ କରିଛି। ଅତୁଲଙ୍କ ଶାଶୂ ଓ ଦିଅରଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି। ଏହାପରେ ତିନି ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁ ଅଣାଯାଇ କୋର୍ଟରେ ହାଜର କରାଯାଇଛି, ଯେଉଁଠାରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅତୁଲ ସୁଭାଷଙ୍କ ଭାଇ ବିକାଶ ମୋଦୀ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ପୁତୁରା (ଅତୁଲଙ୍କ ପୁଅ) କେଉଁଠି ଅଛନ୍ତି?
"ମୋ ଭାଇର ପୁଅକୁ ସର୍ବସାଧାରଣରେ ରଖି ଯତ୍ନ ନେବା ଉଚିତ। ମୁଁ ମୋ ପୁତୁରାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ବୋଲି ଅତୁଲ ସୁଭାଷଙ୍କ ବାପା କହିଛନ୍ତି। ଏମାନଙ୍କୁ ଗିରଫ କରାଯିବା ପରେ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଅତୁଲଙ୍କ ଭିଡିଓ ରିଲିଜ୍ ହେବା ପରଠାରୁ ନିକିତାଙ୍କ ଲୋକେସନ୍କୁ ପୁଲିସ ଲଗାତାର ଠାବ କରୁଥିଲା।
ଏହି ଘଟଣାରେ ନିକିତାଙ୍କ ଭିଣୋଇ ସୁଶୀଲ ସିଂଘାନିଆଙ୍କ ଭୂମିକା ସମ୍ପର୍କରେ ପୁଲିସ ତଦନ୍ତ କରିବା ସହ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି। ଏହି ମାମଲାରେ ନିକିତାଙ୍କୁ ଅଭିଯୁକ୍ତ ନମ୍ବର ୧, ମା' ନିଶାଙ୍କୁ ୨, ଭାଇ ଅନୁରାଗଙ୍କୁ ୩ ନମ୍ବର ଅଭିଯୁକ୍ତ କରାଯାଇଥିଲା। ନିକିତାଙ୍କ ପରିବାର ଲୋକେ ପ୍ରଥମେ ପୁଲିସକୁ କହିଥିଲେ ଯେ ସେମାନେ ତଦନ୍ତରେ ସହଯୋଗ କରିବେ, କିନ୍ତୁ ବେଙ୍ଗାଲୁରୁ ପୁଲିସ ଜୌନପୁରରେ ପହଞ୍ଚିବା ପରେ ସେମାନେ ଖୁବ୍ ଶୀଘ୍ର ଓକିଲଙ୍କୁ ଭେଟିବେ ବୋଲି କହି ଫେରାର ହୋଇଯାଇଥିଲେ। ଏହାପରେ ପୁଲିସ ପରିବାର ସଦସ୍ୟଙ୍କ ସ୍ଥାନ ଖୋଜିବା ଆରମ୍ଭ କରିଥିଲା।
ଅତୁଲ ସୁଭାଷ ଛାଡି ଯାଇଥିବା ସୁଇସାଇଡ୍ ନୋଟ୍, ଭିଡିଓ ଏବଂ ଉପକରଣର ବିଶ୍ଳେଷଣ କରିବା ପାଇଁ ପୁଲିସ ଫୋରେନ୍ସିକ୍ ବିଶେଷଜ୍ଞ ଏବଂ ସାଇବର କ୍ରାଇମ୍ ଟିମ୍ ସହ ଯୋଗାଯୋଗ କରିଛି। ନିକିତା ସିଂହାନିଆ ଓ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ମାମଲା ରୁଜୁ ହୋଇଛି।
ଅଧିକ ପଢ଼ନ୍ତୁ: ଚାକିରି ଛାଡିବା ପାଇଁ ଏମିତି କଲେ ନାଟକ