ନୂଆଦିଲ୍ଲୀ: ଭାରତର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ରରେ ସମାପ୍ତ ହେବା ପରେ ଅଶ୍ୱିନ ରୋହିତଙ୍କ ସହ ପ୍ରେନ କନଫରେନ୍ସ କରିଛନ୍ତି । ଆଉ ଏହି ସମୟରେ ହିଁ ଅଶ୍ୱିନ ନିଜ କ୍ୟାରିୟରକୁ ଅଲବିଦା କହିଛନ୍ତି ।
ତୃତୀୟ ଟେଷ୍ଟର ଶେଷ ଦିନରେ ଅଶ୍ୱିନ ବ୍ରେକ ସମୟରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ସହ ଆଲୋଚନା ବେଳେ ବହୁତ ଭାବ ବିହ୍ୱଳ ନଜର ଆସିଥିଲେ । ଏହା ପରେ ତାଙ୍କର ସନ୍ନ୍ୟାସ ଖବର ସାମ୍ନାକୁ ଆସିଥିଲା । ଆଉ କିଛି ସମୟ ପରେ ଅଶ୍ୱିନ ଖୋଦ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବର୍ଡର-ଗାଭାସ୍କର ସିରିଜ ମଝିରେ ଅଚାନକ ଅଶ୍ୱିନଙ୍କ ଏମିତି ଘୋଷଣା କେବଳ ପ୍ରଶଂସକଙ୍କୁ ନୁହେଁ ଚେତେଶ୍ୱର ପୂଜାରା ଓ ହରଭଜନ ସିଂଙ୍କୁ ମଧ୍ୟ ଚକିତ କରିଛି ।
ଭାରତର ଅନୁଭବୀ ଖେଳାଳି ଚେତେଶ୍ୱର ପୂଜାରା ଲାଇଭ ଶୋ ସମୟରେ ଅଶ୍ୱିନଙ୍କ ସନ୍ନ୍ୟାସ ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଅଶ୍ୱିନଙ୍କ ସିରିଜ ମଝିରେ ସନ୍ନ୍ୟାସ ଘୋଷଣା କରିବାର ନିଷ୍ପତ୍ତି ବୁଝି ହେଉନି । ପୂଜାରା କହିଛନ୍ତି, ସେ ଜାଣି ନାହାନ୍ତି ଯେ ଅଶ୍ୱିନଙ୍କ ସହ ଦଳ ପ୍ରବନ୍ଧକଙ୍କ ଆଲୋଚନା ହୋଇଛି କି ନାହିଁ । ମାତ୍ର ଅଚାନକ ଏମିତି ନିଷ୍ପତ୍ତି ବହୁତ ମୁସ୍କିଲ ଲାଗୁଛି । ହରଭଜନ ମଧ୍ୟ ଅଶ୍ୱିନଙ୍କ ଏହି ନିଷ୍ପତ୍ତିରେ ହତବାକ ।
ହରଭଜନ କହିଛନ୍ତି, ଅଶ୍ୱିନ ଭାରତ ପାଇଁ ଢେର ୱିକେଟ୍ ନେଇଛନ୍ତି । ଆଉ ଏହି ଧରଣର ନିଷ୍ପତ୍ତି ପୂର୍ବରୁ ସେ ବହୁ ଭାବିଚିନ୍ତି ବିଚାର କରିଥିବେ । ମାତ୍ର ଯେଉଁଭଳି ଭାବେ ସେ ସିରିଜ୍ ମଧ୍ୟରେ ସନ୍ନ୍ୟାସ ଘୋଷଣା କଲେ ତାହା ଦର୍ଶାଉଛି ଯେ, ଅଶ୍ୱିନ ଜାଣିଥିଲେ ଯେ, ଆଗାମୀ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବ ନାହିଁ । ଦଳ ପ୍ରବନ୍ଧକଙ୍କ ଯୋଜନାରେ ଅଶ୍ୱିନ ଫିଟ୍ ନ ଥିବା ଏହି ସିରିଜରେ ଦେଖିବାକୁ ମିଳିଛି । ପୂଜାରା ଓ ହରଭଜନଙ୍କ ଏହି ବୟାନ ରୋହିତ ଓ ଗମ୍ଭୀରଙ୍କ ଯୋଡିଙ୍କୁ ନେଇ ରହିଛି ।