ବ୍ରିସ୍ବେନ୍: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବ୍ରିସବେନରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟର ୩ୟ ମୁକାବିଲା ଜାରି ରହିଛି। ଦ୍ବିତୀୟ ପାଳିରେ ଘରୋଇ ଦଳ ୭ ୱିକେଟ୍ରେ ୮୯ ରନ୍ ସଂଗ୍ରହ କରିବା ସହ ପାଳି ଘୋଷଣା କରିଛି। ଅଷ୍ଟ୍ରେଲିଆ ଏବେ ୨୭୪ ରନ୍ରେ ଆଗୁଆ ରହିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୭୫ ରନ୍ ଲକ୍ଷ୍ୟ ମିଳିଛି।
ପ୍ରଥମ ପାଳି ଆଧାରରେ ଅଷ୍ଟ୍ରେଲିଆ ୧୮୫ ରନ୍ ଆଗୁଆ ଥିଲା। ଦ୍ବିତୀୟ ପାଳିରେ କଙ୍ଗାରୁ ଦଳ ୩୩ ରନ୍ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇଥିଲା। ପ୍ରଥମ ପାଳିରେ ଶତକ ହାସଲ କରିଥିବା ଟ୍ରାଭିସ୍ ହେଡ୍ ଓ ଷ୍ଟିଭ୍ ସ୍ମିଥ୍ଙ୍କ ବ୍ୟାଟ୍ ଗତିଶୀଳ ହୋଇପାରି ନଥିଲା। ଉଭୟ ଖେଳାଳି ଅତି ଶସ୍ତାରେ ଆଉଟ୍ ହୋଇ ପାଭିଲିଅନ୍ ଫେରିଥିଲେ।
ଦ୍ବିତୀୟ ପାଳିରେ ଅଧିନାୟକ ପେଟ୍ କମିନ୍ସ ସର୍ବାଧିକ ୨୨ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୧୭ ରନ୍ ସଂଗ୍ରହ କରିଥିଲେ। ନାଥନ୍ ମ୍ୟାକ୍ ସ୍ବୀନୀ ୪ ରନ୍, ଉସମାନ ଖୱାଜା ୮ ରନ୍, ମାର୍ନସ ଲାବୁସାନ ୧ ରନ୍ ଓ ମିଚେଲ ମାର୍ସ ୨ ରନ୍ କରି ଆଉଟ୍ ହୋଇଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ ମହମ୍ମଦ ସିରାଜ ଏବଂ ଆକାଶ ଦୀପ ୨-୨ଟି ୱିକେଟ୍ ନେଇଥିଲେ।
ତୃତୀୟ ଟେଷ୍ଟ ପ୍ରଥମ ଦିନରୁ ବର୍ଷା ଦ୍ବାରା ପ୍ରଭାବିତ ହୋଇଛି। ଟିମ୍ ଇଣ୍ଡିଆ ମ୍ୟାଚ୍ର ଚତୁର୍ଥ ଦିନରେ ବହୁ ପରିଶ୍ରମ ପରେ ଫଲୋଅନ୍ ବଞ୍ଚାଇଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ୪୪୫ ରନ୍ରେ ସୀମିତ ରହିଥିଲା, ଯାହାର ଜବାବରେ ଭାରତ ପ୍ରଥମ ଇନିଂସରେ ୨୬୦ ରନ୍ କରିଥିଲା।
ଅଧିକ ପଢ଼ନ୍ତୁ: ନିୟନ୍ତ୍ରଣ ହରାଇ ଟ୍ରକ୍କୁ ଧକ୍କା ଦେଲେ ବାଇକ୍ ଆରୋହୀ