ନୂଆଦିଲ୍ଲୀ: ଆର ଅଶ୍ୱିନଙ୍କ ଅବସର ଭାରତୀୟ ଦଳରେ ବଡ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି । ଆଗାମୀ ଦିନରେ ଅନେକ ବଡ ବଡ କ୍ରିକେଟର ମଧ୍ୟ କ୍ରିକେଟକୁ ଅଲବିଦା କହି ପାରନ୍ତି । କାରଣ ଆଗାମୀ ପିଢିକୁ ଦଳରେ ସୁଯୋଗ ଦେବା ସହିତ ଦଳର ଭବିଷ୍ୟତ ପାଇଁ ଉଚିତ୍ ରଣନୀତି ପ୍ରସ୍ତୁତ କରିବା । କ୍ରିକବଜର ଏକ ରିପୋର୍ଟ ଅନୁସାରେ ବଡ ଖେଳାଳିଙ୍କ ସନ୍ନ୍ୟାସ ଘୋଷଣା ଆସନ୍ତା ବର୍ଷ ଜୁନ-ଜୁଲାଇରେ ଇଂଲଣ୍ଡ ଗସ୍ତ ପୂର୍ବରୁ ଆରମ୍ଭ ହୋଇପାରେ । ଅଷ୍ଟ୍ରେଲିଆ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଡବ୍ଲ୍ୟୁଟିସି ଚକ୍ରରେ ଭାରତର ଶେଷ ସିରିଜ । ଆଉ ଏହା ଦଳର ଅନେକ ଖେଳାଳି ପାଇଁ ମଧ୍ୟ ଶେଷ ଟେଷ୍ଟ ସିରିଜ୍ ରହିପାରେ ।
ଅଶ୍ୱିନଙ୍କ ସହିତ ବିରାଟ କୋହଲି, ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ଓ ରବୀନ୍ଦ୍ର ଜାଡେଜା ଏହି ଗ୍ରୁପର ସଦସ୍ୟ ଥିଲେ । ଏହି ସବୁ ଖେଳାଳି ୨୦୧୨ ଓ ୨୦୧୩ ମଧ୍ୟରେ ଭାରତୀୟ ଦଳରେ ହୋଇଥିବା ବଡ ଧରଣର ପରିବର୍ତ୍ତନ ସମୟରେ ଦଳରେ ସାମିଲ ହୋଇଥିଲେ । ସେହି ସମୟରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଓ ଭିଭିଏସ ଲକ୍ଷ୍ମଣ ନିଜ ନିଜ ସ୍ଥାନ ଛାଡି ଦେଇଥିଲେ ।
ଅଧିନାୟକ ରୋହିତ ଶର୍ମା ବାରମ୍ବାର ସଭିଙ୍କୁ ଏହା କହିବାକୁ ଉଦ୍ୟମ କରୁଛନ୍ତି ଯେ, ଯିଏ ଭଲ ପ୍ରଦର୍ଶନ କରିବ ତାଙ୍କ ପାଇଁ ଦଳର ଦ୍ୱାର ଖୋଲା ଅଛି । କିନ୍ତୁ ଏହା ପୂର୍ବରୁ ନିର୍ଦ୍ଧାରିତ ଥିଲା ଯେ, ଭାରତୀୟ ଦଳ ପୂଜାରା ଓ ରାହାଣେଙ୍କଠୁ ଆଗକୁ ବଢି ସାରିଛି । ଅଶ୍ୱିନଙ୍କୁ ମଧ୍ୟ କିଛି ଏମିତି ସଙ୍କେତ ମିଳିଥିଲା । କାରଣ ନ୍ୟୁଜିଲାଣ୍ଡ ସିରିଜରେ ଅଚାନକ ୱାଶିଂଟନ ସୁନ୍ଦରଙ୍କ ଏଣ୍ଟ୍ରି ହୋଇଥିଲା । ବର୍ଡର-ଗାଭାସ୍କର ଟ୍ରଫିରେ ପର୍ଥ ଟେଷ୍ଟରେ ସୁନ୍ଦରଙ୍କୁ ଜାଡେଜା ଓ ଅଶ୍ୱିନଙ୍କ ବଦଳରେ ସୁଯୋଗ ଦିଆଗଲା ।
କ୍ରିଜବଜର ରିପୋର୍ଟ ଅନୁସାରେ, ଅଶ୍ୱିନଙ୍କ ଅବସର ନିର୍ଣ୍ଣୟ କେତେ ଯୋଜନାବଦ୍ଧ ଥିଲା ତାହା କହିବା ମୁସ୍କିଲ । ମାତ୍ର ଭାରତୀୟ ଦଳରେ ଶୀଘ୍ର ବଡ ପରିବର୍ତ୍ତନ ହୋଇପାରେ । ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତ ପୂର୍ବରୁ ଅନେକ ଖେଳାଳିଙ୍କୁ ନିଜ ଆଡୁ ସନ୍ନ୍ୟାସ ଘୋଷଣା କରିବା କ୍ରିକେଟ୍ ପ୍ରେମୀ ଦେଖିବାକୁ ପାଇ ପାରନ୍ତି । ୨୦୦୮ରେ ମଧ୍ୟ ସେମିତି ହୋଇଥିଲା । ସେହି ସମୟରେ ସୌରଭ ଗାଙ୍ଗୁଲି, ଅନିଲ କୁମ୍ବଲେଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ନିଜ ଆଡୁ ଦଳରୁ ଓହରିବାକୁ ପଡିଥିଲା ।