ବ୍ରିସବେନ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସ୍ବେନ୍ର ଗାବା ଠାରେ ୫ ମ୍ୟାଚ୍ ବିଶିଷ୍ଟ ତୃତୀୟ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଏହି ମୁକାବିଲାରେ ଭାରତ ଆଜି ଶେଷ ଦିନରେ ପ୍ରଥମ ପାଳିର ସମସ୍ତ ୱିକେଟ୍ ହରାଇଛି। ରୋହିତ ଶର୍ମାଙ୍କ ଟିମ୍ ୭୮.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୦ ରନ୍ କରିଛି। ଫଳରେ ପ୍ରଥମ ପାଳି ଆଧାରରେ ଅଷ୍ଟ୍ରେଲିଆ ଏବେବି ୧୮୫ ରନ୍ ଆଗୁଆ ରହିଛି।
ବର୍ଷା ବାଧିତ ଏହି ମ୍ୟାଚ୍ରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରାରମ୍ଭିକ ବ୍ୟାଟର କେଏଲ୍ ରାହୁଲ, ରବୀନ୍ଦ୍ର ଜାଡେଜା, ଆକାଶ ଦୀପ ଓ ଯଶପ୍ରୀତ ବୁମରାଙ୍କ ପାଇଁ ଭାରତୀୟ ଦଳ ଫଲୋଅନ୍ରୁ ବର୍ତ୍ତିଥିଲା। ଅନ୍ୟ ଖେଳାଳିମାନେ ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ। କେଏଲ୍ ରାହୁଲ ୧୩୯ଟି ବଲ୍ ଖେଳି ସର୍ବାଧିକ ୮୪ ରନ୍ କରିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା। ରବୀନ୍ଦ୍ର ଜାଡେଜା ୧୨୩ଟି ବଲ୍ ଖେଲି ୭୭ ରନ୍ କରିଥିଲେ। ସେହିପରି ଆକାଶ ଦୀପଙ୍କ ୩୧ ରନ୍ ଓ ଯଶପ୍ରୀତ ବୁମରାଙ୍କ ୧୦ ରନ୍ ଭାରତ ସମ୍ମାନ ରଖିଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପେଟ୍ କମିନ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ମିଚେଲ୍ ଷ୍ଟାର୍କ ୩ ଜଣ ଭାରତୀୟ ଖେଳାଳିଙ୍କୁ ପାଭଲିଅନ୍ ପଠାଇଥିଲା ବେଳେ ଜୋସ୍ ହେଜଲଉଡ, ନାଥନ ଲାୟନ ଓ ଟ୍ରାଭିସ୍ ହେଡ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ରିପୋର୍ଟ ଲେଖାଯିବା ବେଳକୁ ବର୍ଷା ଯୋଗୁଁ ମ୍ୟାଚ୍ ଅଟକିଛି। ବ୍ରିସବେନରେ ଖେଳ ବନ୍ଦ ହେବାର ଏକ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ଗାବା ପଡ଼ିଆରେ ଲଗାଣ ବର୍ଷା ହେଉଛି। ପଡ଼ିଆ ଉପରେ କଳା ମେଘ ଲାଗି ରହିଛି। ବର୍ତ୍ତମାନର ଦୃଶ୍ୟକୁ ଦେଖିଲେ ଖେଳ ପୁଣି ଥରେ ଆରମ୍ଭ ହେବାର ଆଶା କମ୍ ରହିଛି।
ଅଧିକ ପଢ଼ନ୍ତୁ: ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଆଜି ଆଲୋଚନା