ନୂଆଦିଲ୍ଲୀ: ବେଜିଂରେ ଭାରତ ଓ ଚୀନ୍ ମଧ୍ୟରେ ବୁଧବାର ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନା ହେବ। ୨୦୨୦ ଏପ୍ରିଲ-ମେ ମାସରୁ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚାଲିଥିବା ଉତ୍ତେଜନା ଶେଷ ହେବା ପରେ ସ୍ୱତନ୍ତ୍ର ପ୍ରତିନିଧି (ଏସଆର) ସ୍ତରରେ ଆଲୋଚନା ଆରମ୍ଭ ହୋଇଛି।
ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି। ଏହି ବୈଠକରେ ଯୋଗଦେବା ପାଇଁ ଡୋଭାଲ ମଙ୍ଗଳବାର ବେଜିଂରେ ପହଞ୍ଚିଥିଲେ। ପୂର୍ବ ଲଦାଖକୁ ଲାଗିରହିଥିବା ଏଲଏସି ଉପରେ ଆଲୋଚନା ଆରମ୍ଭ କରିବାକୁ ଭାରତ ଜୋର ଦେବ ବୋଲି କୁହାଯାଉଛି।
ଜୁଲାଇ ୨୦୦୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବେଜିଂ ଗସ୍ତ ସମୟରେ ଏସଆର ଅଧୀନରେ ଆଲୋଚନା ପାଇଁ ବ୍ୟବସ୍ଥା ଉପରେ ସହମତି ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସ୍ଥାୟୀ ସମାଧାନ କରିବା। ଏହା ଅଧୀନରେ ୨୨ ରାଉଣ୍ଡ ଆଲୋଚନା ହୋଇଛି। ଏନଏସଏ ଡୋଭାଲ ନିଜେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏହି ଆଲୋଚନାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।
ବିଶେଷଜ୍ଞଙ୍କ ମତରେ ଗତ ୨୨ ରାଉଣ୍ଡ ଆଲୋଚନାରେ ଭାରତ ଆଦୌ ଖୁସି ନୁହେଁ। ଏହାର କାରଣ ହେଉଛି ସୀମା ବିବାଦର ସମାଧାନ ଦିଗରେ ଚୀନ୍ ନିଜର ଆଭିମୁଖ୍ୟରେ କୌଣସି ନରମତା ଦେଖାଉନାହିଁ। ପୂର୍ବରୁ ଏହି ବ୍ୟବସ୍ଥା ଅଧୀନରେ ଭାରତୀୟ ଟିମର ସଦସ୍ୟ ଥିବା ଜଣେ ଅଧିକାରୀଙ୍କ କହିବା ନୁଯାୟୀ, ଏହି ମାମଲାକୁ ଟାଣିବା ପାଇଁ ଚୀନର ଆଭିମୁଖ୍ୟ ରହିଛି।
୨୨ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ଏଲଏସି ନିର୍ଦ୍ଧାରଣ ନେଇ ଦୁଇ ଦେଶ ମଧ୍ୟରେ କୌଣସି କ୍ଷେତ୍ରରେ ବୁଝାମଣା ହୋଇଛି ବୋଲି କୁହାଯାଇପାରିବ ନାହିଁ। ୨୦୧୭ରେ ଡୋକଲାମ ବିବାଦ ଏବଂ ୨୦୨୦ରେ ପୂର୍ବ ଲଦାଖ ବିବାଦ ପ୍ରମାଣ କରୁଛି ଯେ ଏସଆର ବ୍ୟବସ୍ଥା ଅଧୀନରେ ଆଲୋଚନାରେ କୌଣସି ସକାରାତ୍ମକ ଫଳାଫଳ ମିଳିନାହିଁ। ଶୀର୍ଷ ନେତାମାନେ ସାମ୍ନାକୁ ଆସିବା ପରେ ହିଁ ଉଭୟ ବିବାଦର ସମାଧାନ ହୋଇଛି।