ଦମାସ୍କସ୍: ଚଳିତ ଡିସେମ୍ବର ୮ରେ ସିରିଆର ବିଦ୍ରୋହୀମାନେ ରାଜଧାନୀ ଦମାସ୍କସ୍କୁ ଦଖଲ କରିଥିଲେ। ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ-ଅସଦ ଦେଶ ଛାଡ଼ି ରୁଷିଆ ପଳାଇଥିଲେ। ଏହି ଘଟଣା ପରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କୁ ନେଇ ବଡ ଦାବି କରାଯାଉଛି।
ରିପୋର୍ଟ ଅନୁଯାୟୀ, ବଶାର ଅଲ-ଅସଦ ଦେଶ ଛାଡିବା ପୂର୍ବରୁ ଶତ୍ରୁ ଦେଶ ଇସ୍ରାଏଲକୁ ସାମରିକ ସୂଚନା ଦେଇଥିଲେ, ଯାହା ଦ୍ୱାରା ସେ ସୁରକ୍ଷିତ ଭାବରେ ଚାଲି ଯାଇପାରିବେ। କୁହାଯାଉଛି ଯେ ସେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଇସ୍ରାଏଲ କ୍ରମାଗତ ଭାବେ ଏହି ସବୁ ଅଞ୍ଚଳ ଉପରେ ବୋମା ମାଡ଼ କରୁଛି।
ତୁର୍କୀର ଏକ ଖବରକାଗଜର ସାମ୍ବାଦିକ ଅବଦୁଲ କାଦିର ସେଲଭିଙ୍କ କହିବା ଅନୁଯାୟୀ, ବସର ଅଲ-ଅସଦ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଭଣ୍ଡାର, କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଲଢୁଆ ବିମାନର ଅବସ୍ଥିତି ବିଷୟରେ ସୂଚନା ଦେଇଥିଲେ, ଯାହାଫଳରେ ଉଡ଼ାଣ ସମୟରେ ସେମାନଙ୍କ ଉପରେ କୌଣସି ଆକ୍ରମଣ ହେବ ନାହିଁ। ସିରିଆରେ ବିଦ୍ରୋହ ପରେ ଇସ୍ରାଏଲ ସିରିଆର ସାମରିକ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିବା ଆରମ୍ଭ କରିଥିଲା। ଅବଦୁଲ କାଦିର ସେଲଭି ଏହି ରିପୋର୍ଟ ସତ ବୋଲି ମତ ଦେଇଛନ୍ତି।
ତୁର୍କୀ ଖବରକାଗଜ ହୁରିୟତର ସାମ୍ବାଦିକ ଅବଦୁଲ କାଦିର ସେଲଭି କହିଛନ୍ତି ଯେ ବଶାର ଅଲ-ଅସଦଙ୍କ ଦେଶ ଛାଡ଼ି ପଳାୟନରେ ଇସ୍ରାଏଲର ଭୂମିକାରେ ଆହୁରି ଅନେକ ଦିଗ ରହିଛି। ତେବେ ଏ ସମ୍ପର୍କରେ ସେ କୌଣସି ବିବରଣୀ ଦେଇନାହାନ୍ତି। ନଭେମ୍ବର ଶେଷ ଭାଗରେ ସିରିଆରେ ବିଦ୍ରୋହୀ ସୈନ୍ୟମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ। କିଛି ଦିନ ପରେ ସେମାନେ ଦମାସ୍କସ୍ କୁ କାବୁ କରିଥିଲେ। ସେପଟେ ବଶାର ଅଲ-ଅସଦ ଗୁପ୍ତରେ ରୁଷିଆ ପଳାଇଛନ୍ତି, ଯେଉଁଠାରେ ରାଷ୍ଟ୍ରପତି ପୁଟିନ ତାଙ୍କୁ ଆଶ୍ରୟ ଦେଇଛନ୍ତି।
ବଶାର ଅଲ-ଅସଦ କହିଛନ୍ତି ଯେ କେତେକ ରିପୋର୍ଟରେ କୁହାଯାଉଛି ଯେ ମୁଁ ଦେଶ ଛାଡି ରୁଷିଆରେ ବସବାସ କରିବାକୁ ଚାହୁଁଥିଲି, ଏଥିରେ କୌଣସି ସତ୍ୟତା ନାହିଁ। ହଠାତ୍ ସବୁ ଘଟିଲା। ଡିସେମ୍ବର ୮ ତାରିଖ ସକାଳ ପର୍ଯ୍ୟନ୍ତ ମୁଁ ମୋର ଦାୟିତ୍ବ ନିର୍ବାହ ଜାରି ରଖିଥିଲି।
ଅଧିକ ପଢ଼ନ୍ତୁ: ମୁଜାଫରପୁର ଓ ସାରଣ ସମେତ ବୈଶାଳୀରେ ଚଢ଼ାଉ; ଅସ୍ତ୍ରଶସ୍ତ୍ର ଜବତ