ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର 'ପରାମର୍ଶଦାତା' ଭାବେ କାର୍ଯ୍ୟ କରୁଥିବା ମହଫୁଜ୍ ଆଲାମ୍ ୧୯୭୧ ଡିସେମ୍ବର ୧୬ରେ ବିଜୟ ଦିବସ ଅବସରରେ ଭାରତ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦ ସୃଷ୍ଟି କରିଥିଲେ। ବିଜୟ ଦିବସ ବାଂଲାଦେଶର ମୁକ୍ତି ସଂଗ୍ରାମରେ ପାକିସ୍ତାନୀ ସେନା ଉପରେ ବାଂଲାଦେଶ ସେନାର ବିଜୟ। ସେହିଦିନ ମହଫୁଜ ସୋସିଆଲ ମିଡିଆରେ ଭାରତ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିଥିଲେ।
ପୋଷ୍ଟରେ ମହଫୁଜ ଆଲାମ ଉତ୍ତର ପୂର୍ବ ଓ ଉତ୍ତର ଭାରତରେ ସାଂସ୍କୃତିକ ଅସନ୍ତୋଷ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହା ସହ ଏକ ବିବାଦୀୟ ମାନଚିତ୍ର ଜାରି କରାଯାଇଥିଲା, ଯେଉଁଥିରେ ପଶ୍ଚିମବଙ୍ଗ, ଆସାମ ଏବଂ ତ୍ରିପୁରାକୁ ବାଂଲାଦେଶର ଅଂଶ ଭାବରେ ଦର୍ଶାଯାଇଥିଲା। ବିବାଦ ବଢ଼ିବା ପରେ ମହଫୁଜ ତାଙ୍କ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ।
ଧର୍ମ ନିର୍ବିଶେଷରେ ଉତ୍ତର-ପୂର୍ବ ଭାରତ ଓ ବାଂଲାଦେଶର ଲୋକଙ୍କ ସଂସ୍କୃତି ସମାନ ବୋଲି ମହଫୁଜ ଆଲାମ ତାଙ୍କ ପୋଷ୍ଟରେ ଦାବି କରିଛନ୍ତି। ଭାରତର ଉଚ୍ଚଜାତି ଓ ହିନ୍ଦୁ ମୌଳବାଦୀଙ୍କ ମନୋଭାବ ଯୋଗୁଁ ପୂର୍ବ ପାକିସ୍ତାନ ସୃଷ୍ଟି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ୧୯୭୫ ଓ ୨୦୨୪ର ଘଟଣାର ପୁନରାବୃତ୍ତି ଉପରେ ମହଫୁଜ ତାଙ୍କ ପୋଷ୍ଟରେ ଗୁରୁତ୍ୱାରୋପ କରିଛନ୍ତି।
୧୯୭୫ମସିହାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ୍ ମୁଜିବୁର୍ ରେହମାନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ୨୦୨୪ରେ ଶେଖ୍ ହସିନାଙ୍କୁ କ୍ଷମତାରୁ ହଟାଇବା ଯୋଜନା ଅଗଣତାନ୍ତ୍ରିକ ବୋଲି ମହଫୁଜ୍ କହିଛନ୍ତି। ଏହି ସବୁ ଘଟଣା ମଧ୍ୟରେ ୫୦ ବର୍ଷର ବ୍ୟବଧାନ ରହିଥିଲେ ମଧ୍ୟ ପରିସ୍ଥିତି ବଦଳିନଥିଲା। ବାଂଲାଦେଶକୁ ଏକ ନୂତନ ବ୍ୟବସ୍ଥା ଏବଂ ଭୂଗୋଳ ର ଆବଶ୍ୟକତା ରହିଛି ବୋଲି ମହଫୁଜ ଦାବି କରିଛନ୍ତି।
ଭାରତର ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମକୁ ବାଂଲାଦେଶର ଅଂଶ ବୋଲି ଦର୍ଶାଇ ଏକ ବିବାଦୀୟ ମାନଚିତ୍ର ଫେସ୍ବୁକ୍ରେ ସେୟାର କରିଛନ୍ତି ମହଫୁଜ୍। ସେ କହିଛନ୍ତି ଯେ ବାଂଲାଦେଶ ଏବେ ବି ମୁକ୍ତି ଖୋଜୁଛି ଏବଂ ଏହା କେବଳ ଆରମ୍ଭ। ତେବେ ଭାରତକୁ ଦଖଲ କରିବାର ସ୍ୱପ୍ନ ସେୟାର କରିବାର କିଛି ଘଣ୍ଟା ପରେ ସେ ଚୁପ୍ ଚାପ୍ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ।
ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ମନ୍ତ୍ରୀସ୍ତରୀୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିବା ମହଫୁଜ ଆଲାମ ଜଣେ କଠୋର ଇସଲାମିକ ନେତା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଉପସ୍ଥିତିରେ ୟୁନୁସ୍ ହସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଏକ 'ସତର୍କତାର ସହ ଡିଜାଇନ୍ କରାଯାଇଥିବା' ଅଭିଯାନର ମାଷ୍ଟରମାଇଣ୍ଡ ଭାବେ ମହଫୁଜଙ୍କୁ ବର୍ଣ୍ଣନା କରିଛନ୍ତି।
୨୦୧୬ରେ ବିଶ୍ୱବିଦ୍ୟାଳୟ ଛାଡିଥିବା ମହଫୁଜ ନିଜକୁ ଜଣେ ଛାତ୍ର ନେତା ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ବୟାନ ଏବଂ କାର୍ଯ୍ୟ ଭାରତ ବିରୋଧୀ ଭାବନାକୁ ଉତ୍ତେଜିତ କରିବା ଏବଂ ଉଗ୍ରବାଦୀ ଇସଲାମକୁ ସମର୍ଥନ କରିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ ସୂଚାଉଛି।
ଅଧିକ ପଢ଼ନ୍ତୁ: 'ବିଷାକ୍ତ' ହେଲା ବାୟୁ, କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି