ପୋର୍ଟ ଭିଲା: ଦକ୍ଷିଣ ପ୍ରଶାନ୍ତ ମହାସାଗରର ଭାନୁଆତୁ ଉପକୂଳରେ ମଙ୍ଗଳବାର ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ୟୁଏସ୍ଜିଏସ୍ ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଭାନୁଆତୁର ସବୁଠାରୁ ବଡ଼ ସହର ପୋର୍ଟ ଭିଲାଠାରୁ ୩୦ କିଲୋମିଟର ପଶ୍ଚିମରେ ୫୭ କିଲୋମିଟର ଗଭୀରତାରେ ଥିଲା। ଏହାପରେ ସମାନ ସ୍ଥାନ ନିକଟରେ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। କ୍ଷୟକ୍ଷତିର ପରିମାଣ ସ୍ପଷ୍ଟ ହୋଇନାହିଁ। ଭୂମିକମ୍ପ ପରେ ଭାନୁଆଟୁ ସରକାରଙ୍କ ୱେବସାଇଟ ବନ୍ଦ ହୋଇଯାଇଥିଲା। ପୁଲିସ ଓ ସରକାରୀ ସଂସ୍ଥାର ଫୋନ୍ ନମ୍ବର ମଧ୍ୟ କାମ କରୁନାହିଁ। ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏହି ଭୂମିକମ୍ପ ଭାନୁଆତୁ ପାଇଁ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସାବ୍ୟସ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଡିଜାଷ୍ଟର ଡେଲି ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଗ୍ୟାରେଜରେ କାର୍ ହଲୁଛି। ଅନ୍ୟ ଫଟୋରେ ଅନେକ କୂଟନୈତିକ ମିଶନ ଏବଂ ଅନ୍ୟାନ୍ୟ କୋଠା କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଭଙ୍ଗା ଝରକା ଓ ଅନେକ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳୁଛି।
ୟୁଏସଜିଏସ୍ ଭାନୁଆତୁର କିଛି ଉପକୂଳ ପାଇଁ ସୁନାମି ଲହର ସତର୍କ ସୂଚନା ଜାରି କରିଛି। ଜୁଆର ସ୍ତରଠାରୁ ୦.୩ ମିଟରରୁ ୧ ମିଟର (୧ରୁ ୩ ଫୁଟ) ଉଚ୍ଚରେ ଲହରୀ ପହଞ୍ଚିପାରେ ବୋଲି ଏଜେନ୍ସି କହିଛି। ପାପୁଆ ନ୍ୟୁଗିନି, ଫିଜି ଏବଂ ସଲୋମନ ଦ୍ୱୀପପୁଞ୍ଜ ସମେତ ଅନେକ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶପାଇଁ ଜୁଆର ସ୍ତରଠାରୁ ୦.୩ ମିଟର (୧ ଫୁଟ) ରୁ କମ୍ ଉଚ୍ଚତାରେ ଥିବା ଲହରୀର ସୁନାମୀ ସତର୍କ ସୂଚନା ମଧ୍ୟ ଜାରି କରିଛି ୟୁଏସଜିଏସ ।
ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ସେମାନଙ୍କ ଦେଶ ପାଇଁ ସୁନାମି ର କୌଣସି ବିପଦ ନାହିଁ। ଭାନୁଆଟୁ ହେଉଛି ୮୦ଟି ଦ୍ୱୀପର ଏକ ଗୋଷ୍ଠୀ, ଯେଉଁଠାରେ ପ୍ରାୟ ୩,୩୦,୦୦୦ ଲୋକ ବସବାସ କରନ୍ତି । ଦ୍ୱୀପପୁଞ୍ଜର ତଳିଆ ଭୌଗୋଳିକ ରୂପ ସେମାନଙ୍କୁ ସୁନାମି ପାଇଁ ସମ୍ବେଦନଶୀଳ କରିଥାଏ ।
ଅଧିକ ପଢ଼ନ୍ତୁ: ୧୦ ଯାତ୍ରୀଙ୍କ ମୃତ୍ୟୁ, ୧୧ ଗୁରୁତର