କାନାଡ଼ା: ମାର୍କ କାର୍ନି ଲିବେରାଲ ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ଜିତିବା ସହିତ କାନାଡ଼ାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଜଷ୍ଟିନ ଟ୍ରୁଡୋଙ୍କୁ ପଛରେ ପକାଇ କାର୍ନି ଏବେ କାନାଡ଼ାର ପ୍ରଧାନମନ୍ତ୍ରୀ ପାଦ ସମ୍ଭାଳିବାକୁ ଯାଉଛନ୍ତି । ୫୯ ବର୍ଷୀୟ କାର୍ନି ସମୁଦାୟ ୮୬ ପ୍ରତିଶତ ଭୋଟ ହାସଲ କରି ବିତ୍ତମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ପରାଜିତ କରିଛନ୍ତି । ଦଳର ୧,୫୨,୦୦୦ ସଦସ୍ୟ ଏହି ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ।
ଦୀର୍ଘ ୯ ବର୍ଷ ପରେ ଜଷ୍ଟିନ କ୍ରମାଗତ ଲୋକପ୍ରିୟତା ହ୍ରାସ ଯୋଗୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ ଜାନୁଆରୀ ମାସରେ ଟ୍ରୁଡୋ ପ୍ରଧାନମନ୍ତ୍ରୀଙ୍କ ପଦରୁ ଅବ୍ୟାହତି ନେବାପାଇଁ ଘୋଷଣା କରିଥିଲେ । ତାଙ୍କର ଭାରତ ବିରୋଧୀ ନୀତି ଓ ବିଭିନ୍ନ ଭୁଲ ନିଷ୍ପତ୍ତି ପାଇଁ ତାଙ୍କର ଲୋକପ୍ରିୟତା ଧୀରେ ଧୀରେ ହ୍ରାସ ପାଇବାକୁ ଲାଗିଥିଲା । ତେବେ ଶାସକ ଲିବେରାଲ ପାର୍ଟି ନିଜର ଲୋକପ୍ରିୟତା ବଜାୟ ରଖିବା ପାଇଁ ପୂନର୍ବାର ପାର୍ଟିର ଅଧ୍ୟକ୍ଷ ନିର୍ବାଚନ କରିଛନ୍ତି ।
କାର୍ନି ରାଜନୀତିରେ ଏକ ନୂତନ ଚେହେରା । ସେ କାନାଡ଼ା ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନାହିଁ । ସେ ପୂର୍ବରୁ ଜି୭ ଅନ୍ତର୍ଗତ ୨ଟି କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଥିଲେ । ତେବେ ୟୁଏସଏର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଓ ତାଙ୍କ ବୈଦେଶିକ ନୀତିକୁ ସଠିକ ଭାବେ ମୁକାବିଲା କରିପାରିବେ ବୋଲି ଦଳ ତାଙ୍କ ଉପରେ ବିଶ୍ୱାସ ଜତାଇଛି । ସେ ନିଜର ନିର୍ବାଚନୀ ପ୍ରଚାରରେ ୟୁଏସଏର ଆର୍ଥିକ ପ୍ରତିବନ୍ଧକ ବିରୁଦ୍ଧରେ ଡ଼ଲାର ଫର ଡ଼ଲାର କ୍ୟାମ୍ପେନ କରିଥିଲେ ।
ଏବେ କାନାଡ଼ା ଆର୍ଥିକ ପ୍ରତିବନ୍ଧକ, ପଡୋଶୀ ରାଷ୍ଟ୍ର ୟୁଏସର ରାଷ୍ଟ୍ରପତିଙ୍କ କଡ଼ା ବୈଦେଶିକ ନୀତି ଏବଂ ରାଜନୀତିକ ଅନ୍ତର୍ଦ୍ୱନ୍ଦ ମଧ୍ୟରେ ଗତି କରୁଥିବା ବେଳେ କାର୍ନି କିପରି ଏହାର ସଫଳ ମୁକାବିଲା କରୁଛନ୍ତି ଦେଖିବାକୁ ବାକି ରହିଲା ।