ନୂଆଦିଲ୍ଲୀ: ରାଜ୍ୟସଭାରେ ଆଗତ ହେଲା ରେଳ ସଂଶୋଧନ ବିଲ୍ ୨୦୨୪ । ସୋମବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଆଲୋଚନା ଓ ମଞ୍ଜୁରୀ ପାଇଁ ଏହାକୁ ଆଗତ କରିଛନ୍ତି। ଏହି ବିଲରେ ରେଳବାଇ ଆକ୍ଟ ୧୯୮୯ରେ ସଂଶୋଧନ କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ରେଳବାଇ ବୋର୍ଡର କ୍ଷମତା ବୃଦ୍ଧି କରିବା ଏବଂ ସଂସ୍ଥାର କାର୍ଯ୍ୟକାରିତା ଓ ସ୍ୱାଧୀନତାରେ ଉନ୍ନତି ଆଣିବା।
ବିଲ୍ ଆଗତ କରିବା ବେଳେ ରେଳମନ୍ତ୍ରୀ କହିଛନ୍ତି ଯେ ଏହି ବିଲ୍ ମାଧ୍ୟମରେ ଭାରତୀୟ ରେଳ ବୋର୍ଡ ଅଧିନିୟମ, ୧୯୦୫ର ସମସ୍ତ ବ୍ୟବସ୍ଥାକୁ ରେଳବାଇ ଆଇନ, ୧୯୮୯ରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ରହିଛି। ଲୋକସଭା ଏହି ରେଳବାଇ (ସଂଶୋଧନ) ବିଲ୍ ୨୦୨୪କୁ ଅନୁମୋଦନ ଦେଇସାରିଛି।
ବିଲକୁ ସମର୍ଥନ କରି ବିଜେପି ସାଂସଦ ସୁଭାଷ ବରାଲା କହିଛନ୍ତି, ରେଳବାଇର ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁରୁଖୁରୁରେ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ଏହି ବିଲର ଉଦ୍ଦେଶ୍ୟ। ସେ କହିଛନ୍ତି ଯେ ଏହି ବିଲରେ ରେଳବୋର୍ଡକୁ ଆଇନଗତ ସମର୍ଥନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ରେଳବାଇରେ ବ୍ୟାପକ ପରିବର୍ତ୍ତନ ଆଣିବ। ସେପଟେ ତୃଣମୂଳ କଂଗ୍ରେସର ସୁସ୍ମିତା ଦେବ କହିଛନ୍ତି ଯେ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ହେବା ଉଚିତ।