ନୂଆଦିଲ୍ଲୀ: ଜଷ୍ଟିନ ଟ୍ରୁଡୋଙ୍କ ପରେ ଲିବେରାଲ ପାର୍ଟିର ମଙ୍ଗ ଧରିଥିବା ମାର୍କ କାର୍ନି ନିଜର ଐତିହାସିକ ବିଜୟ ପରେ ବିସ୍ଫୋରକ ଭାଷଣ ଦେଇଛନ୍ତି । ମାର୍କଙ୍କ କହିବା ଅନୁଯାୟୀ ୟୁଏସର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ କାନାଡ଼ା ପାଇଁ ଖୁବ ଖରାପ ଦିନ ଆଣିଛନ୍ତି । କାନାଡ଼ାର ଅର୍ଥନୀତିକୁ ଦୁର୍ବଳ କରିବା ସହିତ କାନଡ଼ାକୁ ସଂଯୁକ୍ତ ରାଷ୍ଟ୍ରର ଅନ୍ୟ ଏକ ପ୍ରଦେଶ ଭାବେ ଗ୍ରହଣ କରିବାକୁ ଚେତାବନୀ ଦେଇ କାନାଡ଼ାର ନାଗରିକଙ୍କ ମନୋଭାବକୁ କଠୋରାଘାତ କରିଛନ୍ତି ।
କାର୍ନି କହିଛନ୍ତି ଟ୍ରମ୍ପ ଅସଂଗତିକ ଟାରିଫ ଲଗାଇ କାନାଡ଼ାର ଅର୍ଥନୀତିକୁ ଦୁର୍ବଳ କରିବାର କୂଚକ୍ରାନ୍ତ କରିଛନ୍ତି । ମାତ୍ର ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ । କାନାଡ଼ାର ନିର୍ଭରଯୋଗ୍ୟ ମିତ୍ରଙ୍କ ସହିତ ସମ୍ପର୍କକୁ ସୁଦୃଢ କରି ସୀମାନ୍ତକୁ ସୁରକ୍ଷା ଦିଆଯିବ । କେବଳ ଏତିକି ନୁହେଁ ଆମେରିକା ଉପରେ ମଧ୍ୟ ଅର୍ଥନୈତିକ ପ୍ରତିବନ୍ଧକ ଲଗାଯିବ, ଯାହା ଦ୍ୱାରା ୟୁଏସ ଉପରେ ସର୍ବାଧିକ ପ୍ରଭାବ ପଡିବ ।
59 ବର୍ଷୀୟ ମାର୍କ ଆହୁରି ମଧ୍ୟ କହିଛନ୍ତି 'ଓଟାୱା କେବେ ବି ସଂଯୁକ୍ତ ରାଷ୍ଟ୍ରର ଅଂଶ ହେବ ନାହିଁ । ଡୋନାଲଡ କେବଳ କାନାଡ଼ାର ପ୍ରାକୃତିକ ସମ୍ପଦ, ଜଳ, ଭୂମି ଓ ଖଣିଜ ପଦାର୍ଥକୁ ହାତେଇବାକୁ ଚାହାଁନ୍ତି, ଯାହାକି କୌଣସି ବି ପରିସ୍ଥିତିରେ ସମ୍ଭବ ହେବ ନାହିଁ । କାନାଡ଼ା କୌଣସି ଯୁଦ୍ଧ ଚାହେଁ ନାହିଁ, କିନ୍ତୁ ଅବଶ୍ୟକ ପଡିଲେ ମଧ୍ୟ ଆମେ ପଛଘୁଞ୍ଚା ଦେବୁ ନାହିଁ ଏବଂ ବିଜୟ ହାସଲ କରିବୁ ।"
କାର୍ନି କାନାଡ଼ାର ପ୍ରଥମ ରାଜନୈତିକ ଅଭିଜ୍ଞତା ନଥିବା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ସେ ପୂର୍ବରୁ ବ୍ୟାଙ୍କ ଅଫ କାନାଡ଼ା ଓ ବ୍ୟାଙ୍କ ଅଫ ଇଂଲଣ୍ଡରେ ପ୍ରମୁଖ ପଦବୀରେ କାର୍ଯ୍ୟରତ ଥିଲେ । ସେ ନିଜର ପ୍ରତିଦ୍ୱନ୍ଦ୍ୱିଙ୍କୁ କ୍ରିଷ୍ଟିୟା ଫ୍ରିଲାଣ୍ଡଙ୍କୁ ଏକ ବଡ ବ୍ୟବଧାନରେ ହରାଇ ଲିବେରାଲ ପାର୍ଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଓ ସେ କାନାଡ଼ାର ପ୍ରଧାନମନ୍ତ୍ରୀ ଭାବେ ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ନିର୍ବାଚନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ।