ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରକୁ ଆକ୍ରମଣ ପାଇଁ ଉଦ୍ୟମ କରାଯାଇଛି । ବ୍ରିଟେନ୍ ଏବଂ ଆୟରଲ୍ୟାଣ୍ଡ୍ ଗସ୍ତରେ ଥିବା ଏସ୍ ଜୟଶଙ୍କରଙ୍କୁ ବିରୋଧ କରାଯାଇଛି । ଲଣ୍ଡନରେ ତାଙ୍କ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହିତ ତ୍ରିରଙ୍ଗା ପତାକାକୁ ଚିରି ଦେଇଛନ୍ତି ଖାଲିସ୍ତାନ ସମର୍ଥକ । ତେବେ ସମସ୍ତଙ୍କୁ ପୋଲିସ କାବୁ ନେଇଥିବା ଜଣାପଡ଼ିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଛଅ ଦିନିଆ ବ୍ରିଟେନ୍ ଏବଂ ଆୟରଲ୍ୟାଣ୍ଡ୍ ଗସ୍ତରେ ଯାଇଛନ୍ତି । ସେ ବୁଧବାର ବ୍ରିଟେନର ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହା ପରେ ସେ ଲଣ୍ଡନର ଥିଙ୍କ୍ ଟ୍ୟାଙ୍କ୍ ଚଥମ୍ ହାଉସରେ ‘ଭାରତର ଉଦୟ ଓ ବିଶ୍ୱରେ ଭୂମିକା’ ଉପରେ ଆଲୋକପାତ କରିଥିଲେ । ଏହା ପୂର୍ବରୁ କିନ୍ତୁ ବିରୋଧ କରାଯାଇଥିଲା । ବୈଦେଶିକ ମନ୍ତ୍ରୀ ଯେତେବେଳେ ଚୌଥମ୍ ହାଉସ ପହଁଚିଲେ ସେତେବେଳେ କିଛି ଖଲିସ୍ତାନୀ ସମର୍ଥକମାନେ ତାଙ୍କ କାରକେଡ୍ ସମ୍ମୁଖକୁ ଆସି ଯାଇଥିଲେ । ସେମାନେ ଭାରତ ବିରୋଧୀ ନାରା ଦେଉଥିଲେ । ସେ ଯେତେବେଳେ ଚଥମ୍ ହାଉସ ପାଇଁ ବାହାରୁଥିଲେ ସେତେବେଳେ ତାଙ୍କ ଉପରେ ଆକ୍ରମଣ ପାଇଁ ଉଦ୍ୟମ ହୋଇଥିଲା । ଜଣେ ବ୍ୟକ୍ତି ମନ୍ତ୍ରୀଙ୍କ ଗାଡ଼ି ସାମ୍ନାକୁ ଆସି ତ୍ରିରଙ୍ଗା ପତାକା ଚିରି ଦେଇଥିଲେ । ସେଠାରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ତୁରନ୍ତ କାବୁ କରି ନେଇଥିଲେ ।
ଯେତେବେଳେ ସ୍ୱାଧୀନ ନୀତି ପ୍ରତିଷ୍ଠାନ ଚୌଥମ ହାଉସରେ ବୈଦେଶିକ ମନ୍ତ୍ରୀଙ୍କୁ କାଶ୍ମୀର ପ୍ରସଙ୍ଗରେ ଏକ ପ୍ରଶ୍ନ ପଚରାଯାଇଥିଲା, ସେ କହିଥିଲେ ଯେ ଯଦି ପାକିସ୍ତାନ ପାକ୍ ଅଧିକୃତ କାଶ୍ମୀର (POK) ଖାଲି କରେ ତେବେ କାଶ୍ମୀର ସମସ୍ୟା ସମ୍ପୂର୍ଣ୍ଣ ସମାଧାନ ହୋଇଯିବ। କାଶ୍ମୀରରେ, ଆମେ ଏହାର ଅଧିକାଂଶ ସମସ୍ୟାର ସମାଧାନ କରିବାରେ ଭଲ କାମ କରିଛୁ । ଧାରା ୩୭୦ ହଟାଇବା ଗୋଟିଏ ଐତିହାସିକ ପଦକ୍ଷେପ ଥିଲା । ତା'ପରେ, କାଶ୍ମୀରରେ ବିକାଶ, ଆର୍ଥିକ କାର୍ଯ୍ୟକଳାପ ଏବଂ ସାମାଜିକ ନ୍ୟାୟ ପୁନରୁଦ୍ଧାର କରିବା ଦ୍ୱିତୀୟ ପଦକ୍ଷେପ ଥିଲା। ନିର୍ବାଚନ ଆୟୋଜନ, ଯେଉଁଥିରେ ଭୋଟରଙ୍କ ସଂଖ୍ୟା ବହୁତ ଅଧିକ ଥିଲା, ତାହା ତୃତୀୟ ପଦକ୍ଷେପ ଥିଲା।"