ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ମେକ୍ସିକୋ ଏବଂ କାନାଡାରୁ ହୋଉଥିବା ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। (ସୋମବାର) ୩ ମାର୍ଚ୍ଚରେ ଟ୍ରମ୍ପ ଏନେଇ ଘୋଷଣା କରିଥିବା ବେଳେ ଏହା ଆଜିଠୁ (ମଙ୍ଗଳବାର) ଠାରୁ ଲାଗୁ କରାଯାଇଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ବାର ସାରା ବିଶ୍ବର ଶେୟାର ବଜାର ପାଇଁ ବିପଦ ସୃଷ୍ଟି କରିଛି । ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ଆମେରିକା ସମେତ ଏସୀୟ ବଜାରଗୁଡ଼ିକରେ ହଟଚମକ ସୃଷ୍ଟି ହୋଇଛି ।
ଆମେରିକା ଆଜିଠାରୁ ଦୁଇ ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ପୂର୍ବରୁ ସଙ୍କେତ ଦେଇ ସାରିଥିଲା । ଏହାଫଳରେ ଡାଉ ଜୋନ୍ସ ଠାରୁ ଆରମ୍ଭ କରି ଏସଏଣ୍ଡପି-୫୦୦ ପର୍ଯ୍ୟନ୍ତ ବଡ଼ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଏସୀୟ ବଜାରରେ ମଧ୍ୟ ବହୁ ହ୍ରାସ ଦେଖିବାକୁ ମିଳିଛି । ବାଣିଜ୍ୟ ବିଶ୍ଳେଷକମାନଙ୍କ କହିବା ଅନୁଯାୟୀ ଏହି ଟିକସ ମୁଦ୍ରାସ୍ଫୀତିର ବୃଦ୍ଧି ଘଟାଇପାରେ ଏବଂ ବ୍ୟବସାୟିକ ଭାଗିଦାରୀରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିପାରେ ।
ଟ୍ରମ୍ପଙ୍କ ଏହି ଘୋଷଣା ପରେ ନର୍ଥ ଆମେରିକୀ ଟ୍ରେଡ ଓ୍ବାରର ଆଶଙ୍କା ପୁଣି ଥରେ ବଢ଼ିଯାଇଛି । ତେବେ ଦୁଇ ଦେଶଙ୍କ ସହ ବ୍ୟାପାର ଅସନ୍ତୁଳନକୁ ମଧ୍ୟ ସନ୍ତୁଳିତ କରିବାକୁ ଟ୍ରମ୍ପ ଚାହାନ୍ତି । ଆମେରିକାରେ ଅଧିକ କାରାଖାନା ହେବାକୁ ଟ୍ରମ୍ପ ଚାହୁଁଛନ୍ତି. ସେଥିପାଇଁ ଏହି ୨ ଦେଶ ଉପରେ ୨୫% ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି ।
ସେପଟେ ୨୫ ପ୍ରିଶତ ଟାରିଫ ଲାଗୁ ହେବା ପରେ କାନାଡ଼ା ଓ ମେକ୍ସିକୋ ଏହାର ଜବାବ ଦେଇଛନ୍ତି । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ନିଷ୍ପତ୍ତିକୁ ବିନା କାରଣରେ ଏହା ଅଯଥା ବୋଲି କହିବା ସହ ଏହା ଗ୍ୟାସ, ଗ୍ରୋସରୀ ଏବଂ କାର ଭଳି ଆମେରିକୀୟ ଗ୍ରାହକଙ୍କ ପାଇଁ ଅଧିକ ମୂଲ୍ୟରେ ପହଞ୍ଚିବ ବୋଲି କହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୫% ଟ୍ୟାକ୍ସର ଜବାବରେ କାନାଡା ୧୫୫ ବିଲିୟନ ଆମେରିକୀୟ ସାମଗ୍ରୀ ଟ୍ୟାକ୍ସ କରିବାକୁ ଯୋଜନା କରୁଛି ।
ସେହିପରି ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ଶେନବାମ୍ କହିଛନ୍ତି ଯେ ଯଦି ଟ୍ରମ୍ପ ଟିକସ ଲାଗୁ କରନ୍ତି ତେବେ ସେମାନେ ସେମାନଙ୍କର ରଣନୀତି ପ୍ରସ୍ତୁତ କରିବେ ଏବଂ ପ୍ରତିଶୋଧ ନେବେ। ତେବେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଆମେରିକାର ବାଣିଜ୍ୟ ସମ୍ପର୍କକୁ ଆହୁରି ଜଟିଳ କରିପାରେ, ଯାହା ବାଣିଜ୍ୟ ଯୁଦ୍ଧ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି କରିପାରେ।