ନୂଆଦିଲ୍ଲୀ: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ବିଶ୍ୱ ଦୃଶ୍ୟପଟ୍ଟରେ କୂଟନୈତିକ ସମୀକରଣ ବଦଳିବାରେ ଲାଗିଛି । କୂଟନୀତିରେ ଏହା କୁହାଯାଉଥିଲା ଯେ, ତୃଣମୂସ୍ତ୍ରରେ ମିତ୍ରତା ଜାରି ରହୁ, ମାତ୍ର ଔପଚାରିକ ଭାବେ ମର୍ଯ୍ୟାଦା କାଏମ ରହିବା ଉଚିତ୍ । କିନ୍ତୁ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠୁ କୂଟନୈତିକ ଭାଷା ବଦଳି ଯାଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସହ ଯୁକ୍ତତର୍କ ସମଗ୍ର ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ରୁଷ ସହ ଲଢେଇ ସମାପ୍ତ କରିବାକୁ ଟ୍ରମ୍ପ ଚାପ ପକାଉଥିବା ବେଳେ ଜେଲେନସ୍କି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହନ୍ତି । ମାତ୍ର ଆମେରିକା ୟୁକ୍ରେନକୁ ଦିଆଯାଉଥିବା ସହାୟତା ଉପରେ ରୋକ୍ ଲଗାଇ ଜୋରଦାର ଝଟକା ଦେଇଛି ।
ୟୁକ୍ରେନ ପରେ ଏବେ ୟୁରୋପକୁ ନେଇ ଆମେରିକା କିଛି ବଡ ନିଷ୍ପତ୍ତି ନେବାକୁ ଯାଉଛି । ଏହାକୁ ନେଇ ଟ୍ରମ୍ପ ପ୍ରଶାସନରେ ମାନସ ମନ୍ଥନ ଚାଲିଛି । ଏପରିକି ଆମେରିକାକୁ ନାଟୋ ଛାଡି ଦେବା ଉଚିତ୍ ବୋଲି ବିଚାର ବିମର୍ଶ କରାଯାଉଛି । ନାଟୋରେ ଅଧିକାଂଶ ୟୁରୋପୀୟ ଦେଶ ରହିଛନ୍ତି । ତୁର୍କୀ ଓ ଆମେରିକା ପରି କିଛି ବାହାର ଦେଶ ଏଥିରେ ସାମିଲ । ନାଟୋର ସଂକଳ୍ପ ଏହା ଯେ, ଯଦି କୌଣସି ବି ମିତ୍ର ଦେଶ ଉପରେ ହମଲା ହୁଏ ତେବେ ସମସ୍ତେ ମିଶି ଏକାଠି ଲଢିବେ । ଏହି କାରଣରୁ ୟୁରୋପର ଅଧିକାଂଶ ନାଟୋ ସଦସ୍ୟ ଆମେରିକାର ସହାୟତା ଚାହିଁଥାନ୍ତି । ଅନ୍ୟପଟେ ଏଲନ ମସ୍କଙ୍କ ସମେତ ଡୋନାଲ୍ଡ ଟ୍ରମ୍ପଙ୍କ ଅଧିକାଂଶ ସାଥୀଙ୍କ କହିବା କଥା ଆମେରିକାକୁ ଏହି ମେଣ୍ଟରୁ ଓହରି ଯିବା ଉଚିତ ।
ଏଲନ ମସ୍କଙ୍କ କହିବା କଥା ନାଟୋରୁ ଆମେରିକାକୁ ନିଜ ହିତ ପାଇଁ କିଛି ମିଳୁନି । ଓଲଟା ଆମେରିକାକୁ ଅଧିକ ଖର୍ଚ୍ଚ ସହିବାକୁ ପଡୁଛି । ଏହାର ଫାଇଦା କେବଳ ୟୁରୋପକୁ ମିଳୁଛି । ତେଣୁ ଆମେରିକାର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ କହିବା କଥା ଏବେ ଆମେରିକାକୁ ନାଟୋ ପରି ସଂଗଠନରୁ ଓହରିଯିବା ଉଚିତ୍ । ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟରୁ ସଙ୍କେତ ମିଳୁଛି ଯେ, ସେ ଏହା ଉପରେ ବିଚାର କରୁଛନ୍ତି । ଟ୍ରମ୍ପ ପୂର୍ବରୁ ବି କହି ସାରିଛନ୍ତି ଯେ, ୟୁରୋପ ଦେଶଗୁଡିକୁ ନିଜର ସୁରକ୍ଷା ପାଇଁ ନିଜେ ଚିନ୍ତା କରିବା ଉଚିତ୍ ।