ଢାକା: ଗତବର୍ଷ ବାଂଲାଦେଶରେ ବିଦ୍ରୋହ ପରେ ଦେଶର ଦାୟିତ୍ୱରେ ଥିବା ମହମ୍ମଦ ୟୁନୁସ୍ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଉପରେ 'କ୍ରାଇମ ଚାର୍ଟ' ତିଆରି କରିବାକୁ ଚାହୁଁଛନ୍ତି। ବାଂଲାଦେଶରେ ଥିବା ଜାତିସଂଘର ଆବାସିକ ସଂଯୋଜକ ଗ୍ୱିନ୍ ଲୁଇସ୍ ଏବଂ ବରିଷ୍ଠ ମାନବାଧିକାର ପରାମର୍ଶଦାତା ହୁମା ଖାନ୍ଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ସେ ଏହା ଉଲ୍ଲେଖ କରିଛନ୍ତି। ରବିବାର ଅନୁଷ୍ଠିତ ବୈଠକରେ ମହମ୍ମଦ ୟୁନୁସ ଶେଖ ହସିନାଙ୍କ ଶାସନ କାଳରେ ହୋଇଥିବା ସମସ୍ତ ନିର୍ଯ୍ୟାତନାର ଦସ୍ତାବିଜ ପ୍ରସ୍ତୁତ କରିବା ବିଷୟରେ କହିଥିଲେ। ଏଥିରେ ଛାତ୍ର ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଇସଲାମିକ ନେତା ଡେଲଓ୍ଵାର ହୁସେନ ସୟିଦିଙ୍କ ବିରୋଧରେ ରାୟ ଆସିବା ପରେ ବିକ୍ଷୋଭକାରୀଙ୍କ ବିରୋଧରେ ପୁଲିସର ବର୍ବରତା ଏବଂ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଘଟିଥିବା ସମସ୍ତ ନ୍ୟାୟବିହୀନ ହତ୍ୟାକାଣ୍ଡ ଅନ୍ତର୍ଭୁକ୍ତ।
ୟୁନୁସ କହିଛନ୍ତି, ଶେଖ ହସିନା ସରକାର ଲୋକଙ୍କ ଉପରେ କରିଥିବା ସମସ୍ତ ଅତ୍ୟାଚାରର ସଠିକ ଦସ୍ତାବିଜର ଆବଶ୍ୟକତା ରହିଛି। ଏହା ବିନା ସତ ପଦାକୁ ଆସିପାରିବ ନାହିଁ କି ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିବ ନାହିଁ।
ଶେଖ୍ ହସିନାଙ୍କ ସରକାର ବିରୋଧରେ ୟୁନୁସ୍ କାହିଁକି ଅପରାଧ ଦସ୍ତାବିଜ ସୃଷ୍ଟି କରିବାକୁ ଚାହୁଁଛନ୍ତି? ହସିନା ସରକାରଙ୍କ ପତନ ପରଠାରୁ ବାଂଲାଦେଶରେ ସ୍ଥିତି ଅସ୍ଥିର ରହିଛି। ହସିନାଙ୍କ ଦଳ ଆୱାମୀ ଲିଗ୍ ର ନେତା ଓ କର୍ମୀଙ୍କ ଉପରେ ପ୍ରତିଦିନ ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସୁଛି। ଏହା ସହ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୟୁନୁସ ପ୍ରଶାସନ ବାଂଲାଦେଶର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଲୋକ ଓ ପ୍ରଶାସନ ମଧ୍ୟରେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି।
ନିକଟରେ ବାର୍ ଆସୋସିଏସନ୍ ନିର୍ବାଚନରେ ଆୱାମୀ ଲିଗ୍ର ବିଜୟ, ୟୁନୁସ୍ ପ୍ରଶାସନକୁ ସେନା ମୁଖ୍ୟଙ୍କ ନିର୍ଦ୍ଦେଶ ଓ କିଛି ଛାତ୍ର ନେତା ଏହାର ଉଦାହରଣ। ଏଭଳି ସ୍ଥିତିରେ ୟୁନୁସ ପ୍ରଶାସନ ଚାହୁଁଛି ଯେ ଲୋକମାନେ ପୁଣି ଥରେ ହସିନାଙ୍କ ସପକ୍ଷରେ ନ ଯାଆନ୍ତୁ। ସେଥିପାଇଁ ତାଙ୍କ ସମୟରେ ହୋଇଥିବା ଅପରାଧର ତାଲିକା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଅଧିକ ପଢ଼ନ୍ତୁ: କେନ୍ ୱିଲିୟମସନ ଆଉଟ୍ ହେବା ପରେ ଏମିତି କାମ କଲେ ଭାରତୀୟ କ୍ରିକେଟର