ଲଣ୍ଡନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଶନିବାର ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କୁ ସାକ୍ଷାତ କରିଥିଲେ। ୟୁକ୍ରେନର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବ୍ରିଟେନ ଏବଂ ୟୁକ୍ରେନ ମିଳିତ ଭାବେ ୨.୨୬ ବିଲିୟନ ପାଉଣ୍ଡ (ପାଖାପାଖି ୨.୮୪ ବିଲିୟନ ଡଲାର)ର ଏକ ଋଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯାହାକୁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ବ୍ୟବହାର କରାଯିବ।
ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ପ୍ରତି ତାଙ୍କର ସମର୍ଥନ ଦୋହରାଇଥିଲେ ଏବଂ କହିଥିଲେ ଯେ ବ୍ରିଟେନ ସର୍ବଦା ସେମାନଙ୍କ ସହିତ ଛିଡ଼ା ହେବ। ପ୍ରଧାନମନ୍ତ୍ରୀ ଷ୍ଟାରମର କହିଛନ୍ତି ଯେ ରୁଷିଆର ବେଆଇନ ଯୁଦ୍ଧକୁ ଶେଷ କରିବା ଏବଂ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଏକ ଉପାୟ ଖୋଜାଯିବ, ଯାହା ୟୁକ୍ରେନର ଭବିଷ୍ୟତ ପାଇଁ ସୁରକ୍ଷିତ ହେବ।
ଏହି ବୈଠକରେ ଦୁଇ ଦେଶର ଅର୍ଥମନ୍ତ୍ରୀ ରାଚେଲ ରିଭସ୍ ଏବଂ ସର୍ଜିଓ ମାର୍ଚେଙ୍କୋ ଋଣ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍ ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି।
ଜେଲେନସ୍କି କହିଛନ୍ତି, ଲଣ୍ଡନରେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କ ସହ ଏକ ଫଳପ୍ରଦ ଏବଂ ଉଷ୍ମ ସାକ୍ଷାତ। ଆଲୋଚନା ସମୟରେ ଆମେ ୟୁକ୍ରେନ ଏବଂ ସମଗ୍ର ୟୁରୋପ ସମ୍ମୁଖୀନ ହେଉଥିବା ଆହ୍ୱାନ, ଅଂଶୀଦାରମାନଙ୍କ ସହ ସମନ୍ୱୟ, ୟୁକ୍ରେନର ସ୍ଥିତିକୁ ସୁଦୃଢ଼ କରିବା ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ସହିତ ଯୁଦ୍ଧ ଶେଷ କରିବା ପାଇଁ ଠୋସ୍ ପଦକ୍ଷେପ ଏବଂ ଦୃଢ଼ ସୁରକ୍ଷା ଗ୍ୟାରେଣ୍ଟି ଉପରେ ଆଲୋଚନା କରିଥିଲୁ।
ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ପାଇଁ ରାଜି ହେଲେ ଇସ୍ରାଏଲ ଓ ଗାଜା