ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମି ଖୈବର ପଖତୁନଖୱା ପ୍ରଦେଶର ବନ୍ନୁ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୁଇ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକରେ ଭର୍ତ୍ତି ଗାଡିକୁ ସେନା କ୍ୟାମ୍ପର ଗେଟରେ ଧକ୍କା ମାରିଛନ୍ତି । ଏଥିରେ ବଡ ବିସ୍ଫୋରଣ ଘଟିବା ପରେ ଅନେକ ଆତଙ୍କବାଦୀ ସେନା କ୍ୟାମ୍ପ ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି, ମାତ୍ର ସୁରକ୍ଷାବଳ ଆତଙ୍କବାଦୀଙ୍କୁ ଅଟକାଇବାକୁ ଯାଇ ପ୍ରତିଜବାବ ଦେଇଛନ୍ତି । ସଦ୍ୟତମ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଏ ପର୍ଯ୍ୟନ୍ତ ନଅ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଆକ୍ରମଣକାରୀ ଗେଟରେ ବିସ୍ଫୋରଣ କରିବା ପରେ କ୍ୟାଣ୍ଟନମେଣ୍ଟକୁ ପଶିବାକୁ ଉଦ୍ୟମ କରିଥିଲେ । ଜବାବରେ ସୁରକ୍ଷାବଳ ଫାୟରିଂ କରିଥିଲେ । ଏଥିରେ ଚାରି ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ପଖତୁନଖୱା ପ୍ରଦେଶର ବନ୍ନୁ ଜିଲ୍ଲାରେ ଯେଉଁଠି ଆକ୍ରମଣ ହୋଇଛି ତାହା ଆଫଗାନିସ୍ତାନ ସୀମାରେ ଲାଗି ରହିଛି । ଏହି ଇଲାକାରେ ପୂର୍ବରୁ ମଧ୍ୟ ଅନେକ ଆତଙ୍କୀ ଗତିବିଧି ଦେଖିବାକୁ ମିଳିଛି ।
ଡନର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ହାଫିଜ ବାହାଦୂର ଗୋଷ୍ଠୀ ନିଜକୁ ଦାୟୀ କରିଛନ୍ତି । ଏହି ଗୋଷ୍ଠୀ ଆଫଗାନ ତାଲିବାନର ଆମେରିକା ଓ ନାଟୋ ସେନା ବିରୋଧରେ ସମର୍ଥନ କରିଥିଲା । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଆମର ସଦସ୍ୟ ଏକ ମହତ୍ୱପୂର୍ଣ୍ଣ ଲକ୍ଷ୍ୟରେ ପହଞ୍ଚିଛନ୍ତି ଏବଂ ଏହାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । କିନ୍ତୁ ସଂଗଠନ ପକ୍ଷରୁ ଏଥିରୁ ଅଧିକ ସୂଚନା ଦିଆଯାଇ ନାହିଁ ।