ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଏହାକୁ ମିଶାଇ ଭାରତ ମୋଟ୍ ପାଞ୍ଚ ଥର ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ବିରାଟ କୋହଲି ୮୪ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି । ନିଜର ଏହି ଇନିଂସ ଦମରେ କୋହଲି ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ବିରାଟ କୋହଲି ଦିନିକିଆରେ ୫୨ତମ ଶତକ ହାସଲରୁ ବଞ୍ଚିତ ହୋଇଥିଲେ ହେଁ ନିଜ ନାଁରେ ପାଞ୍ଚ ବଡ ରେକର୍ଡ କରିଛନ୍ତି ।
ବିରାଟ ଭାଙ୍ଗିଲେ ୫ ରେକର୍ଡ
ଦିନିକିଆରେ ଚେଜ୍ କରି ୮ ହଜାର ରନ
ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଦିନିକିଆ କ୍ରିକେଟରେ ଲକ୍ଷ୍ୟର ପିଛା କରି ୮ ହଜାର ରନ ପୂରଣ କରିଛନ୍ତି । ସେ ଏହି ଉପଲବ୍ଧି ନିଜ କ୍ୟାରିୟରର ୧୫୯ତମ ମ୍ୟାଚରେ ହାସଲ କରିଛନ୍ତି । ବିରାଟଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର ବିଜୟ ଲକ୍ଷ୍ୟ ପିଛା କରି ଦିନିକିଆରେ ୮ ହଜାରରୁ ଅଧିକ ରନ କରିଛନ୍ତି ।
ଦିନିକିଆରେ ସର୍ବାଧିକ କ୍ୟାଚ୍
ବିରାଟ କୋହଲି ଦିନିକିଆ କ୍ରିକେଟ୍ ଇତିହାସରେ ସବୁଠୁ ଅଧିକ କ୍ୟାଚ୍ ଧରିବାରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ନାଥନ ଏଲିସ ଓ ଜୋଶ ଇଙ୍ଗଲିସଙ୍କ କ୍ୟାଚ୍ ଧରିଛନ୍ତି । ଦିନିକିଆରେ ଏବେ କୋହଲି ୧୬୧ କ୍ୟାଚ୍ ଧରି ରିକି ପଣ୍ଟିଂ(୧୬୦ କ୍ୟାଚ)ଙ୍କୁ ଅତିକ୍ରମ କରିଛନ୍ତି ।
ଆଇସିସି ଦିନିକିଆ ନକଆଉଟରେ ସର୍ବପ୍ରଥମେ ୧୦୦୦ ରନ
ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟରେ ବିରାଟ କୋହଲି ଏକ ହଜାର ରନ ପୂରଣ କରିବାରେ ଦୁନିଆର ପ୍ରଥମ କ୍ରିକେଟ୍ ହେବାର ରେକର୍ଡ କରିଛନ୍ତି । ତାଙ୍କ ନାଁରେ ଏବେ ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟ(କ୍ୱାର୍ଟର ଫାଇନାଲ, ସେମି ଫାଇନାଲ୍ ଓ ଫାଇନାଲ) ମିଶାଇ ୧୦୨୩ ରନ ରହିଛି ।
ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ
ବିରାଟ କୋହଲି ଏବେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ହେବାର କିର୍ତ୍ତୀମାନ ନିଜ ନାଁରେ କରିଛନ୍ତି । ତାଙ୍କ ନାମରେ ଏବେ ୭୪୬ ରନ ହୋଇଛି । ତାଙ୍କ ପୂର୍ବରୁ ଭାରତ ପାଇଁ ସବୁଠୁ ଅଧିକ ରନ କରିଥିବା ଖେଳାଳି ଶିଖର ଧାୱନ ଥିଲେ । ସେ ଚାମ୍ପିଅନ୍ସ ଟ୍ରଫିରେ ୭୦୧ ରନ କରିଥିଲେ ।
ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଅର୍ଦ୍ଧଶତକ
ବିରାଟ କୋହଲି ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୨୪ ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି । ସେ ଏହି କାରନାମା କେବଳ ୫୩ ଇନିଂସରେ କରି ଦେଖାଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା, ଯିଏ ୫୮ ଇନିଂସରେ ୨୩ ଅର୍ଦ୍ଧଶତକ ହାସଲ କରିଥିଲେ ।