ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ରବିବାର ଦୁବାଇରେ ଖେଳାଯିବ । ଭାରତ ସେମିରେ ଅଷ୍ଟ୍ରେଲିଆକୁ ଏବଂ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଯଦି ଫାଇନାଲରେ ବର୍ଷା ହୁଏ ତେବେ ମୁକାବିଲାର ମଜା କମିଯିବ । ବର୍ଷା ହେଲେ କିଏ ଚାମ୍ପିଅନ ହେବ, ଏହାକୁ ନେଇ ଆଇସିସି ପକ୍ଷରୁ ପ୍ରଥମରୁ ନିୟମ ନିର୍ଦ୍ଧାରିତ ଅଛି ।
ଯଦି ଫାଇନାଲରେ ବର୍ଷା ହୁଏ ତେବେ ଓଭର କମାଯାଇ ମ୍ୟାଚ୍ କରାଯାଇ ପାରିବ । ଆଇସିସି ନିୟମ ମୁତାବକ ଫାଇନାଲ୍ ମ୍ୟାଚ୍ ଅତି କମରେ ୨୦ ଓଭରର ଖେଳାଯିବ ଯିବା ଜରୁରୀ । ପ୍ରତି ଦଳକୁ ୨୦-୨୦ ଓଭର ଖେଳିବାକୁ ଦିଆଯିବ । ଯଦି ମାର୍ଚ୍ଚ ୯ ତାରିଖ ବର୍ଷା ଯୋଗୁଁ ମ୍ୟାଚ୍ ନ ହୁଏ ତେବେ ୧୦ ତାରିଖ ରିଜର୍ଭ ଡେରେ ଫାଇନାଲ୍ ଖେଳାଯିବ ।
ଯଦି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଡ୍ର ରହେ କିମ୍ବା ଟାଇ ରହେ ତେବେ ସୁପର ଓଭର ଜରିଆରେ ମ୍ୟାଚର ଫଳାଫଳ ବାହାର କରାଯିବ । ଦୁଇ ଦଳକୁ ଗୋଟିଏ ଲେଖାଏଁ ଓଭର ଖେଳିବାକୁ ସୁଯୋଗ ଦିଆଯିବ ।
ସୂଚନାଯୋଗ୍ୟ, ୨୦୦୦ ମସିହା ପରେ ପ୍ରଥମ ଥର ଭାରତ ଓ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ୨୦୦୦ ମସିହାରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା । ଏହି ସମୟରେ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ଥିଲେ ଏବଂ ଚୂଡାନ୍ତ ଏକାଦଶରେ ସଚିନ ତେନ୍ଦୁଲକର, ଯୁବରାଜ ସିଂ, ରାହୁଲ ଦ୍ରାବିଡ, ଅଜିତ ଅଗକର, ଅନିଲ କୁମ୍ବଲେ, ଜାହିର ଖାନଙ୍କ ପରି ତାରକା ଖେଳାଳି ଥିଲେ ।
ସେହି ସମୟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୬୪ ରନ କରିଥିଲା । ଅଧିନାୟକ ଗାଙ୍ଗୁଲି ୧୧୭ ରନର ଦମଦାର ଇନିଂସ ଖେଳିଥିଲେ । ସଚିନ ତେନ୍ଦୁଲକର ୬୯ ରନ କରିଥିଲେ । ଉଭୟ ମିଶି ପ୍ରଥମ ୱିକେଟରେ ୧୪୧ ରନ ଯୋଡିଥିଲେ । ଏହା ପରେ ଅନ୍ୟ ବ୍ୟାଟର ବଡ ଇନିଂସ ଖେଳି ନ ପାରିବାରୁ ଭାରତ ୨୬୪ ରନରେ ସୀମିତ ରହିଥିଲା । ଜବାବରେ ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରିସ କେନର୍ସ ୧୦୨ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ନ୍ୟୁଜିଲାଣ୍ଡ ଦୁଇଟି ବଲ ବଳକା ଥାଇ ମ୍ୟାଚକୁ ୪ ୱିକେଟରେ ଜିତି ନେଇଥିଲା । ଆଉ ଭାରତକୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।