ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ ନୀତି ଉପରେ ଦୃଢ ଜବାବ ଦେଇଛି ଚୀନ । ସି ଜିନପିଙ୍ଗଙ୍କ ପ୍ରଶାସନ ବୁଧବାର କହିଛନ୍ତି ଯେ, ଯଦି ଆମେରିକା ବ୍ୟବସାୟରେ ପ୍ରତିବନ୍ଧକ ଭାବେ ଯୁଦ୍ଧର ଆରମ୍ଭ କରେ ତେବେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ଚୀନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଯଦି ଆମେରିକା କାରବାର ଯୁଦ୍ଧକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇ ସାରିଛି ତେବ ଡ୍ରାଗନ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢେଇ କରିବ।
ଚୀନର ଆମେରିକା ସ୍ଥିତ ଦୂତାବାସ ନିଜ ବୟାନରେ କହିଛି ଯେ, ଯଦି ଆମେରିକା ଯୁଦ୍ଧ ଚାହୁଁଛି, ସେ ଟାରିଫ ଯୁଦ୍ଧ ହେଉ କି କାରବାର ଯୁଦ୍ଧ ହେଉ ଆମେ ଶେଷ ପର୍ଯ୍ୟନ୍ତ ଲଢେଇ କରିବାକୁ ପ୍ରସ୍ତୁତ । ଆମେ ଆମେରିକାକୁ ସବୁ ସ୍ତରରେ ଉଚିତ୍ ଜବାବ ଦେବାକୁ ପ୍ରସ୍ତୁତ । ଚୀନ କୌଣସି ପ୍ରକାରର ଆର୍ଥିକ ସଂଘର୍ଷରେ ପଛକୁ ହଟିବ ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ।
ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା କଂଗ୍ରେସର ଯୁଗ୍ମ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ଓ ଚୀନ ସହିତ ଅନ୍ୟ ଦେଶ ଦ୍ୱାରା ଲଗାଯାଇଥିବା ଉଚ୍ଚ ଶୁଳ୍କ ଅନୁଚିତ୍ ଅଟେ । ଏପ୍ରିଲ ୨ରୁ ଆମେରିକା ମଧ୍ୟ ଏହି ଦେଶଗୁଡିକ ପାଇଁ ଟାରିଫ ଲଗାଇବ ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଅନ୍ୟ ଦେଶଗୁଡିକ ଦଶନ୍ଧି ଧରି ଆମ ବିରୋଧରେ ଟାରିଫର ଉପଯୋଗ କରି ଆସିଛନ୍ତି । ଏବେ ଆମର ପାଳି ଏବଂ ଆମେ ସେହି ଦେଶ ବିରୋଧରେ ଟାରିଫ ଲଗାଇବା ଆରମ୍ଭ କରିବୁ ଯିଏ ଆମ ବିରୋଧରେ ଟାରିଫ ଲଗାଇଛନ୍ତି । ୟୁରୋପୀୟ ସଂଘ, ଚୀନ, ବ୍ରାଜିଲ, ଭାରତ, ମେକ୍ସିକୋ ଓ କାନାଡା ପରି ଦେଶ ଆମ ଉପରେ ଯେଉଁ ଟାରିଫ ଲଗାଇଛନ୍ତି, ତାହା ଆମ ତୁଳନାରେ ବହୁତ ଅଧିକ । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଏବେ ଆମେରିକା ସେହି ଦେଶ ବିରୋଧରେ ପ୍ରତିଜବାବ ଦେବାକୁ ନିଷ୍ପତ୍ତି ନେଇ ସାରିଛି ।