ଉତ୍ତରପ୍ରଦେଶ: ଅଫିସରେ ବିଳମ୍ବରେ ପହଞ୍ଚିବାର କାରଣରୁ ଜଣେ କନଷ୍ଟେବଳ ଯେଉଁ ସ୍ପଷ୍ଟୀକରଣ ରଖିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ପଷ୍ଟୀକରଣରେ କନଷ୍ଟେବଳ ଜଣକ କହିଛନ୍ତି, ତାଙ୍କ ସ୍ତ୍ରୀ ସ୍ୱପ୍ନରେ ଆସି ତାଙ୍କ ରକ୍ତ ପିଉଥିବା କାରଣ ଦର୍ଶାଇ ରାତିରେ ଶୋଇପାରୁନଥିବା କହିଛନ୍ତି । ଉତ୍ତରପ୍ରଦେଶ ଅର୍ଦ୍ଧସାମରିକ ବାହିନୀ ପ୍ରାଦେଶିକ ସଶସ୍ତ୍ର (ପିଏସି)ର କନ୍ଷ୍ଟେବଲ୍ ସ୍ପଷ୍ଟୀକରଣରେ ଏଭଳି ଲେଖିଛନ୍ତି। ଏଥିସହ ସେ ସ୍ପଷ୍ଟୀକରଣରେ କହିଛନ୍ତି, ଅଧିକାଂଶ ସମୟରେ ତାଙ୍କୁ ଦୁଃସ୍ୱପ୍ନ ଆସୁଛି । ତାଙ୍କ ପତ୍ନୀ ତାଙ୍କ ଛାତି ଉପରେ ବସି ରକ୍ତ ପିଇବାକୁ ଉଦ୍ୟମ କରିଥିଲେ। ଏହି କାରଣରୁ କନ୍ଷ୍ଟେବଲ ଭୟରେ ସାରା ରାତି ଶୋଇପାରି ନ ଥିଲେ ଏବଂ ଠିକ୍ ସମୟରେ କାର୍ୟ୍ୟାଳୟକୁ ଆସିବାରେ ବିଫଳ ହେଉଛନ୍ତି । ତାଙ୍କର ଏହି ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଠିକ୍ ସମୟରେ ନ ଆସିବା ଏବଂ କାର୍ୟ୍ୟରେ ଅବହେଳା ପାଇଁ କନ୍ଷ୍ଟେବଲ୍ଙ୍କୁ ଗତ ମାସ ୧୭ ତାରିଖରେ ନୋଟିସ ଜାରି କରାଯାଇ ସ୍ପଷ୍ଟୀକରଣ ମଗାଯାଇଥିଲା। ପିଏସି ୪୪ତମ ବାଟାଲିୟନ୍ର ଜି-ଗାର୍ଡ କମାଣ୍ଡର ମଧୁସୂଦନ ଶର୍ମା ଏହି ନୋଟିସ୍କୁ ଶୃଙ୍ଖଳାଗତ ଚେତାବନୀ ଭାବେ ଜାରି କରିଥିଲେ।
ପୂର୍ବରୁ ଏନେଇ ନିର୍ଦ୍ଦେଶ ସତ୍ତ୍ୱେ ସେ କ’ଣ ପାଇଁ ବିଳମ୍ବ କରି ସକାଳ ୯ଟାରେ ପହଞ୍ଚିଥିଲେ ବୋଲି ପ୍ରଶ୍ନ କରାଯାଇଥିଲା। ଏଥିସହିତ ସେ କ’ଣ ପାଇଁ ଦାଢ଼ି କାଟି ନ ଥିଲେ ଓ ଠିକ୍ ଭାବେ ପୋଷାକ ପିନ୍ଧି ନ ଥିଲେ ବୋଲି ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଥିଲା। କନ୍ଷ୍ଟେବଲ୍ ତାଙ୍କ ପତ୍ରରେ ବିଚିତ୍ର ଏବଂ ଆବେଗପୂର୍ଣ୍ଣ କାରଣ ଦର୍ଶାଇଛନ୍ତି। ଏଥିସହ ସେ ଏବେ ଅବସାଦ ଏବଂ ଚିଡ଼ିଚିଡ଼ାପଣ ଯୋଗୁ ଚିକିତ୍ସାଧୀନ ଥିବା କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।