ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରାଚାଲାଣ ମାମଲାର ତଦନ୍ତ ଜାରି ରହିଛି । ବେଙ୍ଗାଲୁରୁ ସ୍ଥିତ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଥିବା ସୁନା ବ୍ୟତୀତ ତାଙ୍କ ଘରୁ ମଧ୍ୟ ବିପୁଳ ମାତ୍ରାରେ ସୁନା ଓ ନଗଦ ଜବତ ହୋଇଛି । କୁହାଯାଉଛି ସେ, ୧୫ ଦିନରେ ଚାରି ଥର ଦୁବାଇ ଯାତ୍ରା କରି ସାରିଛନ୍ତି । ଏହା ଜରିଆରେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଏହାକୁ ନେଇ ତଦନ୍ତକାରୀ ଟିମ୍ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ସୂତ୍ରରୁ ପ୍ରକାଶ ଯେ, ୩୩ ବର୍ଷୀୟ ରାନ୍ୟା ରାଓ ବହୁ ସମୟ ଧରି ଏଜେନ୍ସିର ରାଡାରରେ ଥିଲେ । ସୋମବାର ଏକ ଟିପ୍ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା । ଡିଆରଆଇ ଅଧିକାରୀଙ୍କ କହିବା କଥା ସେ ୧୫ ଦିନରେ ଚାରି ଥର ଦୁବାଇ ଯାତ୍ରା କରି ସାରିଛନ୍ତି । ଫଳରେ ତାଙ୍କ ଉପରେ ସନ୍ଦେହ ଘନୀଭୂଥ ହୋଇଥିଲା ।
କୁହାଯାଉଛି, ପ୍ରତି ଥର ବେଙ୍ଗାଲୁରୁ ଫେରିବା ସମୟରେ ରାଓଙ୍କୁ ବିପୁଳ ମାତ୍ରାରେ ସୁନା ସୁନା ଅଳଙ୍କାର ପିନ୍ଧି ଫେରୁଥିବା ଦେଖିବାକୁ ମିଳିଛି । ଗତ ବର୍ଷ ସେ ୩୦ ଥର ଦୁବାଇ ଯାତ୍ରା କରିଥିଲେ ଏବଂ ପ୍ରତି ଥର ଅନେକ କିଲୋ ଅଳଙ୍କାର ସହ ଫେରୁଥିଲେ । ପ୍ରତି ଟ୍ରିପରେ ସେ ୧୨ରୁ ୧୩ ଲକ୍ଷ ଟଙ୍କା ଆୟ କରୁଥିବା ମିଡିଆ ରିପୋର୍ଟରୁ ପ୍ରକାଶ । ଗୋଟିଏ କିଲୋ ସୁନା ଚୋରାଚାଲାଣ କଲେ ଅଭିନେତ୍ରୀଙ୍କୁ ଏକ ଲକ୍ଷ ଟଙ୍କା ମିଳୁଥିଲା ।
ଅଧିକାରୀଙ୍କୁ ଅଭିନେତ୍ରୀଙ୍କଠୁ ୧୪.୨ କିଲୋଗ୍ରାମ ସୁନା ମିଳିଛି, ଯାହାର ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ । ତାଙ୍କ ପୋଷାକରେ ସୁନା ଛପି ହୋଇ ରହିଥିବା ଅଧିକାରୀ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ । ସେ ବାରମ୍ବାର ନିଜ ସ୍ୱାମୀ ଜତିନ ହୁକ୍କେରୀଙ୍କ ସହ ଅନ୍ତର୍ଜାତୀୟ ଯାତ୍ରା କରିବା କାରଣରୁ ଏଜେନ୍ସିର ରାଡାରକୁ ଆସିଥିଲେ । ରାଓ କଥିତ ଭାବେ ଜଙ୍ଘ, ଅଣ୍ଟା ସମେତ ଶରୀରର ଅନେକ ଭାଗରେ ସୁନା ଲୁଚାଇ ଆଣୁଥିଲେ ।
ଏପରିକି ସେ ସୁନାଗୁଡିକୁ କପଡାରେ ବି ଲୁଚାଇ ଆଣୁଥିଲେ । ସେ ଅନେକ ଥର ପୋଲିସ ଏସକର୍ଟ ସାହାଯ୍ୟରେ ଏୟାରପୋର୍ଟରେ ସିକ୍ୟୁରିଟି ଯାଞ୍ଚରୁ ବର୍ତ୍ତି ଯାଇଛନ୍ତି । ସୋମବାର ମଧ୍ୟ ସେ ଜଣେ ପୋଲିସ କନଷ୍ଟେବଳଙ୍କ ସହିତ ଏହିପରି କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେହି ସମୟରେ ଡିଆରଆଇ ତାଙ୍କୁ ସୁନା ସହ ଧରିଥିଲେ । ଗିରଫ କରିବା ପରେ ତାଙ୍କୁ ନାଗବାରା ସ୍ଥିତ ଡିଆରଆଇ କାର୍ୟ୍ୟାଳୟ ଅଣାଯାଇ ଜେରା କରାଯାଇଥିଲା । ପୁଣି କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଇ ଡିଆରଆଇ ଅଧିକାରୀ ଜେରା କରୁଛନ୍ତି । ଏହା ସହିତ ପୋଲିସ ବସବରାଜ ନାମକ କନଷ୍ଟେବଳଙ୍କୁ ମଧ୍ୟ ଅଟକ ରଖିଛି ।