ଲଖନଉ: ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟିର ବିଧାୟକ ଅବୁ ଆଜମି ଦ୍ୱାରା ଔରଙ୍ଗଜେବ ଉପରେ ଦେଇଥିବା ବୟାନକୁ ନେଇ ଉତ୍ତର ପ୍ରଦେଶରେ ବି ରାଜନୀତି ଜୋର ଧରିଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବଜେଟ୍ ଅଧିବେଶନରେ ବିଧାନ ପରିଷଦକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି ଉପରେ ଖୁବ୍ ବର୍ଷିଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ସମାଜବାଦୀ ପାର୍ଟି ଔରଙ୍ଗଜେବଙ୍କୁ ନିଜର ଆଦର୍ଶ ମାନୁଛି । ଔରଙ୍ଗଜେବଙ୍କ ପିତା ନିଜ ଜୀବନୀରେ ଲେଖିଛନ୍ତି ଯେ, ଭଗବାନ କରନ୍ତୁ ଔରଙ୍ଗଜେବଙ୍କ ପରି ପୁଅ କାହାକୁ ନ ଦିଅନ୍ତୁ । ସେ ଆଗ୍ରା କିଲ୍ଲାରେ ନିଜ ପିତାଙ୍କୁ ବନ୍ଦୀ କରି ରଖିଲା । ଆଉ ସେହି ଔରଙ୍ଗଜେବର ମହିମା ମଣ୍ଡନ କରୁଛନ୍ତି ଆପ୍ ନେତା । ସେହି ନେତାଙ୍କୁ ପାର୍ଟିରୁ ବାହାର କର । ତାଙ୍କୁ ଥରେ ୟୁପି ପଠାଇ ଦିଅ, ଆମେ ତାର ଉପଚାର କରିଦେବୁ । କଣ ତାଙ୍କୁ ଭାରତରେ ରହିବାର ଅଧିକାର ମିଳିବା ଉଚିତ୍ କି ? ସମାଜବାଦୀ ପାର୍ଟିକୁ ଏହା ଉପରେ ଜବାବ ଦେବା ଉଚିତ୍ ଯେ, ଅବୁ ଆଜମୀଙ୍କୁ ପାର୍ଟିରୁ କାହିଁକି ବହିଷ୍କାର କରୁ ନାହାନ୍ତି ।
ଯୋଗୀ ଆଦିତ୍ୟନାଥ କହିଛନ୍ତି, ସମାଜବାଦୀ ପାର୍ଟିର ମିତ୍ରମାନଙ୍କୁ କହିବାକୁ ଚାହୁଁଛି ଯେ, ଭାରତର ବିରାସତ ଉପରେ ଆପଣ ନିଜକୁ ଗର୍ବିତ ମଣୁ ନାହାନ୍ତି । ଅତି କମରେ ରାମ ମନୋହର ଲୋହିଆଙ୍କ କଥା ମାନିଥାନ୍ତେ । ରାମ ମନୋହର କହିଥିଲେ ଯେ, ଭାରତର ଏକାତ୍ମକତାର ତିନୋଟି ଆଧାର ରହିଛି, ଭଗବାନ ରାମ, ଭଗବାନ ଶିବ ଓ ଭଗବାନ କୃଷ୍ଣ । ଡ. ରାମ ମନୋହର ଲୋହିଆ ପ୍ରଖର ସମାଜବାଦୀ ଥିଲେ । କିନ୍ତୁ ଆଜି ସମାଜବାଦୀ ପାର୍ଟି ଲୋହିଆଜୀଙ୍କ ବିଚାରଧାରାଠୁ କେତେ ଦୂରକୁ ଯାଇ ସାରିଛି । ଆଜିର ସମାଜବାଦୀ ପାର୍ଟି ଔରଙ୍ଗଜେବଙ୍କୁ ନିଜର ଆଦର୍ଶ ମାନୁଛି ।