ଉତ୍ତରପ୍ରଦେଶ: ଆଜିକାଲିର ଯୁବପିଢି ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ବେଶ୍ ଧୁମଧାମରେ ବିବାହ କରୁଛନ୍ତି । ବିବାହ ଉତ୍ସବକୁ ଭବ୍ୟ କରିବା ପାଇଁ ଲୋକମାନେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଉତ୍ତର ପ୍ରଦେଶର ଗାଜିଆବାଦରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ । ଗାଜିଆବାଦର ରାୟସପୁର ଗାଁର ପରିବେଶ କର୍ମୀ ସୁରବିନ୍ଦର କିଷାନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସରଳ ଢଙ୍ଗରେ ବିବାହ କରିବା ସହ ସେ ଯୁବପିଢୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି ।
ସୁରବିନ୍ଦରଙ୍କ ବିବାହ ପରେ ନବବଧୂଙ୍କୁ ସେ ଶଗଡ଼ ଗାଡ଼ିରେ ଆଣିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ବାହାଘରରେ ସେ ଯୌତୁକ ବାବଦକୁ କୌଣସି ଟଙ୍କା ପଇସା ନୁହେଁ ବରଂ ଝିଅ ଘରୁ ୧୧ ହଜାର ଗଛ ଆଣିଛନ୍ତି । ଏହା ବ୍ୟତୀତ ସେମାନଙ୍କର ବିବାହ ନିମନ୍ତ୍ରଣ କାର୍ଡ ଏବଂ ସେଥିରେ ଲେଖାଯାଇଥିବା ୧୦ଟି ପ୍ରତିଜ୍ଞା ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢାଇଛି ।
ବାହାଘରର ଏହି ନିମନ୍ତ୍ରଣ ପତ୍ର ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଲେଖାଯାଇଛି, ବିବାହରେ ଅଯଥା ଖର୍ଚ୍ଚ ନ କରି ନିରାଡ଼ମ୍ବର ଭାବେ କରିବାକୁ ସେ ସଭିଁଙ୍କୁ ଅପିଲ୍ କରିଛନ୍ତି । ଏହା ସହିତ ୧୦ଟି ସଂକଳ୍ପ ମଧ୍ୟ ରଖିଛନ୍ତି । ବିବାହ ଦିନ ଗୋମାତାଙ୍କ ପାଇଁ ଖାଦ୍ୟ ବଣ୍ଟନ କରାଯିବା, ଏଥିସହ ରକ୍ତଦାନ ଶିବିର, ଗାଁକୁ ପୌଷ୍ୟଭାବେ ଗ୍ରହଣ କରିବା, ଗ୍ରାମାଞ୍ଚଳରେ ଡିଜିଟାଲ ପ୍ରଚାର ପ୍ରସାର ପାଇଁ ୫୧ଟି ଇ-ଲାଇବ୍ରେରୀ ନିର୍ମାଣ ଆଦି ସଂକଳ୍ପ ଏଥିରେ ରହିଛି ।
ତେବେ ଏହି ବିବାହରେ କରାଯାଇଥିବା ରୀତିନୀତି ଅନ୍ୟ ପାରମ୍ପରିକ ବିବାହ ଠାରୁ ଭିନ୍ନ ଥିଲା । ପୂର୍ବରୁ ସୁରବିନ୍ଦର ତାଙ୍କ ବିବାହକୁ ସରଳ ରଖିବାକୁ ନିଷ୍ପତ୍ତି ନେଇଥିଲେ। ବିନା ଯୌତୁକରେ ବିବାହ ପାଇଁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ହେଲେ ପରିବେଶ ସୁରକ୍ଷା ପାଇଁ ୧୧ ହଜାର ଚାରାକୁ ଯୌତୁକ ଭାବେ ପ୍ରଦାନ କରାଯାଇଥିଲା ।