ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଲିଭ ଇନରେ ରହିବା ପରେ ମହିଳା ନିଜର ସାଥୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲଗାଇ ପାରିବେ ନାହିଁ । ନିକଟରେ ଏକ ଦୁଷ୍କର୍ମ ସଂପର୍କିତ ଏକ ମାମଲାରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବଡ କଥା ଉଭୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏକାଠି ରହୁଥିଲେ । ସଂପର୍କରେ ଫାଟ ସୃଷ୍ଟି ହେବାରୁ ଏମିତି ପରିସ୍ଥିତି ଉପୁଜିଥିବା କୋର୍ଟ କହିଛନ୍ତି । ଏହା ସହିତ ଆବେଦନକାରୀ ପୁରୁଷଙ୍କୁ ଅପରାଧିକ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରିଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ସର୍ବୋଚ୍ଚ ନ୍ୟାୟାଳୟର କହିବା କଥା ଏମିତି ପରିସ୍ଥିତିରେ ଏହା ସ୍ପଷ୍ଟ ଭାବେ କୁହାଯାଇ ପାରିବ ନାହିଁ ଯେ, କେବଳ ବିବାହ ପ୍ରତିଶ୍ରୁତିରେ ଶାରୀରିକ ସଂପର୍କ ରଖାଯାଇଥିଲା । ମହିଳା ଅଭିଯୋଗ କରିଥିଲେ ଯେ, ସେ ଅଭିଯୁକ୍ତ ବ୍ୟାଙ୍କ ଅଧିକାରୀଙ୍କ ସହିତ ବିବାହର ପ୍ରତିଶ୍ରୁତି ଆଧାରରେ ୧୬ ବର୍ଷ ଧରି ସମ୍ବନ୍ଧ ରଖିଥିଲେ । ଏହି ମାମଲାରେଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଧୀପ ମେହଟ୍ଟାଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ ।
ଅଭିଯୋଗକାରୀ ମହିଳା ପେଶାରେ ଅଧ୍ୟାପିକା । କୋର୍ଟ ତାଙ୍କ ଯାଚିକାକୁ ଅଗ୍ରାହ୍ୟ କରି ଦେଇଛନ୍ତି । କୋର୍ଟଙ୍କ ଅନୁଯାୟୀ, ଉଭୟ ଉଚ୍ଚ ଶିକ୍ଷିତ ଏବଂ ସହମତି ଆଧାରରେ ଶାରୀରିକ ସଂପର୍କ ରଖିଥିଲେ । କାରଣ ଅଲଗା ଅଲଗା ସହରରେ ରହୁଥିଲେ ମଧ୍ୟ ଦୁହେଁ ପରସ୍ପରର ଘରକୁ ଯିବା ଆସିବା କରୁଥିଲେ । ଏହା ସ୍ପଷ୍ଟ ଯେ, ସହମତିରେ ସମ୍ବନ୍ଧ ରଖିଥିଲେ ଏବଂ ସଂପର୍କରେ ଫାଟ ସୃଷ୍ଟି ହେବାରୁ ଏବେ ମହିଳା ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।