ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସରିଛି ମହାକୁମ୍ଭ, ହେଲେ ଅନେକଙ୍କ ପାଇଁ ଛାଡ଼ିଯାଇଛି ଅନେକ ସ୍ମୃତି । ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ୪୫ ଦିନ ଧରି ଚାଲିଥିଲା ଆସ୍ଥାର ମହାପର୍ବ । ଏଠାକୁ କୋଟି କୋଟି ଲୋକେ ଆସି ଆଧ୍ୟାତ୍ମିକ ଓ ଧର୍ମର ମାର୍ଗରେ ସାମିଲ ହେଉଥିଲେ । ସେହିପରି ଅନେକ ଲୋକ ଏଠାରେ ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲେ । ୪୫ ଦିନ ମହାକୁମ୍ଭ ଭିତରେ ଅନେକ ଲୋକେ କୋଟି କୋଟି ଟଙ୍କା ଆୟ କରି ଲାଭବାନ୍ ହୋଇଛନ୍ତି । ମହାକୁମ୍ଭରୁ ଲାଭାବନ୍ ହୋଇଥିବା ଜଣେ ନାଉରୀଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ମହାକୁମ୍ଭ କିଭଳି ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି, କିଭଳି ସେ ମହାକୁମ୍ଭ ପାଇଁ କୋଟିପତି ପାଲଟିଗଲେ, ଏପରିକି ତାଙ୍କ କାହାଣୀକୁ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗୃହରେ ଆଲୋଚନା କରିଛନ୍ତି ।
ଏହି ନାଉରୀ ଜଣକ ହେଉଛନ୍ତି ପ୍ରୟାଗରାଜର ନୈନୀର ଅରୈଲ ଅଞ୍ଚଳର ବାସିନ୍ଦା। ଏହି ପରିବାରର ମୁଖ୍ୟ ବ୍ୟବସାୟ ହେଉଛି ଡଙ୍ଗା ଚଲାଇବା। ମହାକୁମ୍ଭର ୪୫ ଦିନ ଭିତରେ ସେ ଡ଼ଙ୍ଗା ଚଳାଇ ରୋଜଗାର କରିଛନ୍ତି ୩୦ କୋଟି ଟଙ୍କା । ଏତେ ଟଙ୍କା ରୋଜଗାର କରିଥିବାରୁ ପରିବାର ମୁହଁରେ ଏବେ ଖୁସିର ଲହରୀ ଦେଖିବାକୁ ମିଳିଛି । ପରସ୍ପରକୁ ମିଠା ଖୁଆଇ ପରିବାର ସଦସ୍ୟ ଖୁସିବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ବିଧାନସଭାରେ ମହାକୁମ୍ଭରୁ ହେଉଥିବା ଆୟ ବିଷୟରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିବାନୁଯାୟୀ, ଏଥର ମହାକୁମ୍ଭ ପାଇଁ ପ୍ରାୟ ୬୬ କୋଟି ଭକ୍ତ ତ୍ରିବେଣି ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ଯାହାଦ୍ୱାରା ଏହି ପରିବାରକୁ ସମ୍ପୂର୍ଣ୍ଣ ୪୫ ଦିନ କାମ ମିଳିଥିଲା ଏବଂ ସେମାନଙ୍କ ଡଙ୍ଗା ଗୋଟିଏ ଦିନ ପାଇଁ ମଧ୍ୟ ଖାଲି ରହିନଥିଲା। ଏହି ପରିବାରର ଶହେରୁ ଅଧିକ ଡଙ୍ଗା ଅଛି ଏବଂ ପ୍ରତ୍ୟେକ ଡଙ୍ଗାରୁ ୭ ରୁ ୧୦ ଲକ୍ଷ ଟଙ୍କାର ବ୍ୟବସାୟ ହୁଏ। ଯଦି ମୋଟ ରୋଜଗାରର ପରିମାଣକୁ ଦେଖାଯାଏ, ତେବେ ଏହା ପ୍ରାୟ ୩୦ କୋଟି ଟଙ୍କା ହେବ। ଏହିପରି ଭାବରେ, ସମଗ୍ର ପରିବାର ପ୍ରାୟ ୩୦ କୋଟି ଟଙ୍କା ରୋଜଗାର କରିଛନ୍ତି।