ଲଖନଉ: କୌଣସି ବି କେସରେ ଏଫଆଇଆରରେ ସନ୍ଧିଗ୍ଧଙ୍କ ଜାତି ଉଲ୍ଲେଖ କରିବା ଜରୁରୀ କି ? ଉତ୍ତର ପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ଏହି ପ୍ରଶ୍ନ କରିଛନ୍ତି ଉତ୍ତର ପ୍ରଦେଶ ହାଇକୋର୍ଟ । ଅଦାଲତ ଡିଜିଙ୍କୁ ପଚାରିଛନ୍ତି ଯେ, ଏଫଆଇଆରରେ ଜାତି ଉଲ୍ଲେଖ କରିବାର କଣ ଆବଶ୍ୟକତା ରହିଛି ଏବଂ ଏଥିରେ କଣ ଫାଇଦା ମିଳୁଛି । ଜଷ୍ଟିସ ବିନୋଦ ଦିବାକର ଉଦ୍ଦେଶ୍ୟମୂଳକ ଓ କିଛି ସମୁଦାୟ ସହ ବୈମାତୃକ ମନୋଭାବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।
ଅଦାଲତ ଏହି ମାମଲାରେ ଡିଜିପିଙ୍କୁ ବ୍ୟକ୍ତିଗତ ଭାବେ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ପରବର୍ତ୍ତୀ ତାରିଖରେ ଏହା ଜଣାନ୍ତୁ ଯେ, କେଉଁ ମାମଲାରେ ଏଫଆଇଆରରେ ସନ୍ଦିଗ୍ଧଙ୍କ ଜାତି ଉଲ୍ଲେଖ କରାଯିବାର ଆବଶ୍ୟକତା ରହିଛି । ଗୋଟିଏ ସମାଜରେ ଏମିତି କାହିଁକି ଜରୁରୀ । ଜାତି ଏକ ସମ୍ବେଦନଶୀଳ ମାମଲା ଏବଂ ଜାତି ନାମରେ ସମାଜରେ ବିଭାଜନ ସ୍ଥିତି ଉତ୍ପନ ହୋଇପାରେ ।
ଜଜ କହିଛନ୍ତି, ସମ୍ବିଧାନ ଏହାର ଗ୍ୟାରେଣ୍ଟି ଦେଉଛି ଯେ, ଦେଶରେ ଯେମିତି ହେଲେ ଜାତିଗତ ଭେଦଭାବ ସମାପ୍ତ ହେବା ଦରକାର । ସମସ୍ତଙ୍କ ସହ ସମାନତା ଓ ଗରିମା ସହିତ ବ୍ୟବହାର କରାଯିବା ଉଚିତ୍ । ପକ୍ଷପାତ ସହ ନ୍ୟାୟର ପରିଭାଷା ପୂରା ହୁଏ ନାହିଁ । ନ୍ୟାୟ ସମସ୍ତଙ୍କ ପାଇଁ ସମାନ ଏବଂ ଗୋଟିଏ ପ୍ରକ୍ରିୟାରେ ହେବା ଉଚିତ୍ । ଜଷ୍ଟିସ ଦିବାକର ଏହା ମଧ୍ୟ କହିଛନ୍ତି, ସୁପ୍ରିମକୋର୍ଟ ପିଟିସନରେ ଜାତି ଓ ଧର୍ମ ଉଲ୍ଲେଖ କରିବା ଉପରେ ରୋକ୍ ଲଗାଇ ସାରିଛନ୍ତି ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଯାଚିକାରେ ଜାତି ଓ ଧର୍ମ ଉଲ୍ଲେଖ କଲେ ଏଥିରେ କୌଣସି ଉଦ୍ଦେଶ୍ୟ ପୂରା ହୁଏ ନାହିଁ । ବରଂ ଏହା ଭେଦଭାବକୁ ପ୍ରୋତ୍ସାହିତ କରିଥାଏ । ଅଦାଲତ ମାର୍ଚ୍ଚ ୩ରେ ଜାରି ଆଦେଶରେ ଉତ୍ତର ପ୍ରଦେଶ ଡିଜିଙ୍କୁ କହିଛନ୍ତି ଯେ, ଆପଣ ଆଫିଡେଭିଟ୍ ଦିଅନ୍ତୁ ଏବଂ ଜଣାନ୍ତୁ ଯେ, ଜାତିର ଉଲ୍ଲେଖ କରିବା କଣ ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ଦିବାକର ପ୍ରଶ୍ନ କରିଛନ୍ତି ।