ସମ୍ବଲପୁର ସହରର ବହୁ ଚର୍ଚ୍ଚିତ ଏମସିଏକ୍ସ ସିଟି ମହା ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ମୋଟ୍ ୫୮ ଗୋଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କଲା ସମ୍ବଲପୁର ପୋଲିସ l ଏଥିସହ ମୋଟ ୮୧ ଲକ୍ଷ ୨୦ ହଜାର ଟଙ୍କାକୁ ଫ୍ରିଜ୍ କରାଯାଇଛି । ଏନେଇ ଜିଲ୍ଲା ପୋଲିସ ମୁଖ୍ୟଲୟ ଠାରେ ପୋଲିସ ଆଇଜି ହିମାଂଶୁ ଲାଲ ଓ ଏସପି ମୁକେଶ କୁମାର ଭାମୁ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଗତ ୧୮ ଫେବୃଆରୀ ଦିନ ଧନୁପାଲି ଥାନାରେ ଶତାଧିକ ଲୋକ ଏକତ୍ରିତ ହୋଇ ୧୨ ଶହ କୋଟି ଟଙ୍କା ବିଭିନ୍ନ ଜମାକାରୀଙ୍କ ଠାରୁ ଏମସିଏକ୍ସ ସିଟି ସଂସ୍ଥାର ମୁଖ୍ୟ ସନ୍ତୋଷ କୁମାର ଆଚାର୍ଯ୍ୟ ଠକେଇ କରିଥିବା ନେଇ ଅଭିଯୋଗ କରିଥିଲେ ।ଉଚ୍ଚ ସୁଧ ହାର ମୋହ ଦେଖାଇ ଲୋକଙ୍କୁ ସନ୍ତୋଷ ଠକେଇ କରୁଥିଲେ। ଏହି ଘଟଣାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଅଭିଯୁକ୍ତଙ୍କୁ ପୁର୍ବରୁ ଗିରଫ କରାଯିବା ସହ ତାଙ୍କ ଘର ଓ କାର୍ଯ୍ୟାଳୟକୁ ପୋଲିସ ପକ୍ଷରୁ ସିଲ୍ କରାଯାଇଛି । ତେବେ ଅଭିଯୁକ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ସିଲ୍ କରାଯାଇଥିବା ସମ୍ପତିର ମୂଲ୍ୟ ଅନୁନ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେଉଥିବାରୁ ପୋଲିସ ପକ୍ଷରୁ ଏହି ମାମଲାଟି ଇଓଡବ୍ଲୁ କୁ ହସ୍ତାନ୍ତର କରି ଅଧିକ ତଦନ୍ତ କରାଯିବା ପାଇଁ ଲିଖିତ ଭାବରେ ଜଣାଯାଇଛି ।