ବଲାଙ୍ଗୀର: ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ଗୁରୁବାର ବୟାନ ରେକର୍ଡ ଶେଷ ହୋଇଛି। ତଦନ୍ତକାରୀ ସଂସ୍ଥାର ଦସ୍ତାବିଜ ଏବଂ ସାକ୍ଷୀଙ୍କ ତଥ୍ୟ ଆଧାରରେ ଏହି ବୟାନ ରେକର୍ଡ କରାଯାଇଥିଲା। ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଏଡିଜେ ୨୪୫ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ତେବେ ଅଧିକାଂଶ ପ୍ରଶ୍ନର ଉତ୍ତରରେ ପୁଞ୍ଜିଲାଲ ‘ନା’ କହିଥିବା ଜଣାପଡିଛି।
ଗୁରୁବାର ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏଠାରେ ବିଚାରପତିଙ୍କ ନିକଟରେ ତାଙ୍କର ବୟାନ ରେକର୍ଡ ହୋଇଥିଲା। ଏହି ମାମଲାରେ ପୂର୍ବରୁ ୬୩ ଜଣଙ୍କ ସାକ୍ଷ ଗ୍ରହଣ ହୋଇସାରିଛି। ଏବେ ପୁଞ୍ଜିଲାଲଙ୍କ ବୟାନ୍ ରେକର୍ଡ ପରେ ଏହି ମାମଲାରେ କଣ ରାୟ ଆସିବ ତାହା ଉପରେ ରହିଛି ନଜର । ସୁପ୍ରିମ କୋର୍ଟ ଏହି ମାମଲାକୁ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।