ମାଲକାନଗିରି: ମାଟ୍ରିକ ପରୀକ୍ଷାର ଆଜି ହେଉଛି ଶେଷ ଦିନ । ଆଜି ସଂସ୍କୃତ ଏବଂ ହିନ୍ଦୀରେ ପରୀକ୍ଷା ଦେଉଛନ୍ତି ଛାତ୍ରୀଛାତ୍ରୀ । ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ରରେ ପହଁଚିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଏହା ସହିତ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚନ୍ଦନଗୁଡ଼ା ଅଞ୍ଚଳରେ । ମୃତ ଛାତ୍ରଙ୍କ ହେଲେ ବିକ୍ରମ ସରଦାର ଓ ଗୁରୁତର ଛାତ୍ର ଜଣକ ତାପସ ସରଦାର ବୋଲି ଜଣାପଡିଛି । ପଦ୍ମଗିରି ବିଦ୍ୟାଳୟ ଛାତ୍ର ସେରପାଲି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଉଥିବାବେଳେ ସଡ଼କ ଦୁର୍ଘଟଣା ହୋଇଛି ।
ମାଲକାନଗିରି ଜିଲ୍ଲା ଏମଭି ୧୦୦ ଗ୍ରାମର ଦୁଇ ଜଣ ଭାଇ ବିକ୍ରମ ସରଦାର ଓ ତାପସ ସରଦାର ଏକ ବାଇକରେ ସେରପାଲିକୁ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିଲେ । ଏହି ସମୟରେ ଚନ୍ଦନଗୁଡ଼ା ନିକଟରେ ଜଣେ ଏକ ପିକ୍ ଅପ୍ ଭ୍ୟାନ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ସମସ୍ତେ ତଳେ ପଡ଼ିଯାଇଥିଲେ । ବିକ୍ରମ ସରଦାରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା, ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ସାମାନ୍ୟ ଆହତ ହୋଇଥିବା ଅନ୍ୟ ଜଣେ ଛାତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପରୀକ୍ଷା କେନ୍ଦ୍ରକୁ ପଠାଇଥିଲେ । କିନ୍ତୁ ବାଇକ ଚଲାଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ମେଡ଼ିକାଲକୁ ପଠାଯାଇଛି ।