ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଉଚ୍ଚ ସ୍ତରୀୟ ସରକାରୀ ଅଧିକାରୀ । କଟକ ସ୍ଥିତ ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଟିମ ଏକକାଳୀନ ୯ଟି ଠିକଣାରେ ଗୁରୁବାର ଚଢ଼ଉ କରିଛି ।
ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି । ଭୁବନେଶ୍ୱର, କଟକ, ପୁରୀ ଏବଂ ଖୋର୍ଦ୍ଧାରେ ଚଢ଼ଉ ହୋଇଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରସ୍ଥିତ ଘର ଓ ରଘୁନାଥପୁରେ ଥିବା ଫ୍ଲାଟ୍, ନୟାଗଡ଼ ଜିଲ୍ଲା ରଣପୁର କୁଶୁପଲ୍ଲାରେ ଥିବା ଫାର୍ମ ହାଉସ୍, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ଥିବା ପୈତୃକ ବାସଭବନ, ପୁରୀ ଟାଉନ ଜେନୀରି ଛକ ଭକ୍ତି ରତ୍ନ ଲେନରେ ଥିବା ସମ୍ପର୍କୀୟଙ୍କ ଘର, କଟକ କାର୍ୟ୍ୟାଳୟ ଏବଂ ଭୁବନେଶ୍ୱର ମାଳିପଡ଼ାରେ ଥିବା ସମ୍ପର୍କୀୟଙ୍କ ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯାଉଛି ।
ଯାଞ୍ଚ ସମୟରେ ପ୍ରଦୀପ ମହାନ୍ତିଙ୍କ ମୈତ୍ରୀ ବିହାର ଘରୁ ୧୫ ଲକ୍ଷ ନଗଦ ଟଙ୍କା, ୩ଟି ସୁନା ବିସ୍କୁଟ ଏବଂ ସୁନା ଗହଣା ଜବତ କରାଯାଇଛି । ଖବର ଲେଖା ଯିବା ବେଳକୁ ତାଙ୍କ ଅନ୍ୟାନ୍ୟ ସମ୍ପତ୍ତିର ଆକଳନ କରାଯାଇ ନ ଥିଲା । ଏହି ଚଢ଼ଉରେ ୨ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୧୨ ଇନସ୍ପେକ୍ଟର, ୨୫ ଜଣ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀମାନେ ସାମିଲ ଅଛନ୍ତି ।