ବଲାଙ୍ଗୀର: ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ର ପାର୍ସଲ ବୋମା ଘଟଣାରେ କୋର୍ଟରେ ହଜାର ହେଲେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । କୋର୍ଟରେ ଆଜି ତାଙ୍କ ବୟାନ ରେକର୍ଡ କରାଯିବ । ଏନେଇ ପାଟଣାଗଡ ଏଡିଜେ କୋର୍ଟରେ ପହଞ୍ଚିଛନ୍ତି ପୁଞ୍ଜିଲାଲ ମେହେର । ପୂର୍ବ ତାରିଖରେ ଅସୁସ୍ଥତା ଦେଖାଇ ସେ ମହଲତ ମାଗିଥିଲେ । ଫଳରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ହୋଇ ପାରିନଥିଲା । ହେଲେ ଆଜି ବୟାନ୍ ରେକର୍ଡ ପାଇଁ କୋର୍ଟରେ ହାଜର ହୋଇଛନ୍ତିି । ବୟାନ ରେକର୍ଡ ପରେ କିଛିଦିନ ମଧ୍ୟରେ ବିଚାରପତି ରାୟ ଶୁଣାଇପାରନ୍ତି ।
୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସମଗ୍ର ଦେଶକୁ ଚହଲାଇ ଦେଇଥିଲା। ପାଟଣାଗଡ଼ ଜବାହରଲାଲ କଲେଜର ତତ୍କାଳୀନ ଅଧ୍ୟାପକ ରବୀନ୍ଦ୍ର ସାହୁ ଏବଂ ଭଇଁଷା କଲେଜର ତତ୍କାଳୀନ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଏକମାତ୍ର ପୁତ୍ର ସୌମ୍ୟଶେଖର ସାହୁଙ୍କ ବିବାହ ଉପହାର ଭାବେ ଆସିଥିବା ଏକ ପାର୍ସଲକୁ ଖୋଲିବାବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ମଧ୍ୟ ଗୁରୁତର ହୋଇଥିଲେ।
ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା। ବୃତ୍ତିଗତ ଶତ୍ରୁତାକୁ ସେ ପାର୍ସଲ୍ ଉପହାର ଭାବେ ବୋମା ପଠାଇଥିଲେ ଓ ୨୩ ତାରିଖ ଦିନ ପାର୍ସଲ୍ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା।
ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଭାବେ ରହିଛନ୍ତି ଓ ମାମଲାକୁ ୨ ସପ୍ତାହ ମଧ୍ୟରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଉ କିଛିଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।