ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଏବେ ଲାଗିଛି ଟାରିଫ୍ ଯୁଦ୍ଧ । ଟାରିଫ୍ କୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଶୁଳ୍କ ଯୁଦ୍ଧ ମଧ୍ୟରେ ଟ୍ରମ୍ପ ଯେସାକୁ ତେସା ନୀତି ଆପଣାଇଛନ୍ତି । ଆଜି ସଂସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧିତ କରି ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେଉଁ ଦେଶ ଆମ ଉପରେ ଯେକୌଣସି ଶୁଳ୍କ ଲାଗୁ କରିବ, ଆମେ ସେମାନଙ୍କ ଉପରେ ସମାନ ଶୁଳ୍କ ଲାଗୁ କରିବୁ । ଏହି ସମୟରେ ଟ୍ରମ୍ପ ଚୀନ ସହିତ ଭାରତୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ।
ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଭାରତ ଆମ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲାଗୁ କରିଛି, ତେଣୁ ଆମେ ବି ଭାରତ ଉପରେ ଟାରିଫ୍ ଲାଗୁ କରିବୁ । ଭାରତ ସମେତ ଚୀନ୍, ମେକ୍ସିକୋ ଏବଂ କାନାଡା ସମେତ ଅନେକ ଦେଶ ଉପରେ ଆମେରିକା ଟାରିଫ୍ ଲାଗୁ କରିବ । ଯେତେବେଳେ ଆମେ ସେମାନଙ୍କୁ ସାମରିକ ସହାୟତା ଯୋଗାଇ ଦେଉଛୁ ସେହି ସମୟରେ ଚୀନ୍ ଦୁଇଗୁଣା ଏବଂ ଦକ୍ଷିଣ କୋରିଆ ଚାରିଗୁଣ ଟାରିଫ ଲାଗୁ କୁରଛି । ତେଣୁ ଆସନ୍ତା ୨ ଏପ୍ରିଲରୁ ଭାରତ ସହିତ ଅନ୍ୟ ଦେଶର ଉପରେ ଆମେରିକା ଟାରିଫ୍ ଲଗାଇବ ବୋଲି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଟ୍ରମ୍ପ ପାରସ୍ପରିକ ଶୁଳ୍କ (ରେସି୍ପ୍ରୋକାଲ୍ ଟାରିଫ୍) ଲାଗୁ କରିବା ପାଇଁ ୨ ଏପ୍ରିଲକୁ କାହିଁକି ବାଛିଲେ ? ଟ୍ରମ୍ପ ଏହାର ଉତ୍ତର ଦେଇ କହିଛନ୍ତି ଯେ ସେ ଏପ୍ରିଲ ୧ ରୁ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଚାହାଁନ୍ତି, କିନ୍ତୁ "ଏପ୍ରିଲ ଫୁଲ୍ ଡେ" ଅଭିଯୋଗର ସମ୍ମୁଖୀନ ହେବାକୁ ଚାହାଁନ୍ତି ନାହିଁ ।
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ସାକ୍ଷାତ ସମୟରେ ଟ୍ରମ୍ପ କହିଥିଲେ ଯେ ଭାରତ ଆମେରିକାର ପାରସ୍ପରିକ ଶୁଳ୍କରୁ ବାଦ ପଡ଼ିବ ନାହିଁ ଏବଂ ଶୁଳ୍କ ଗଠନ ଉପରେ କେହି ମୋ ସହିତ ଯୁକ୍ତି କରିପାରିବେ ନାହିଁ ଜୋର ଦେଇ କହିଥିଲେ ଟ୍ରମ୍ପ ।
ରାଷ୍ଟ୍ରପତି ଟ୍ରମ୍ପ “ଆମେରିକା ଫେରି ଆସିଛି” (America is back) କହି ତାଙ୍କ ଭାଷଣ ଆରମ୍ଭ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଆମେରିକାର ଗତି ଫେରି ଆଛି । ଆମର ଆତ୍ମା ଫେରି ଆସିଛି । ଆମର ଗର୍ବ ଫେରି ଆସିଛି । ଆମର ଆତ୍ମବିଶ୍ୱାସ ଫେରି ଆସିଛି । ଏବେ ଆମେରିକାର ଲୋକମାନେ ସେମାନଙ୍କର ସମସ୍ତ ସ୍ୱପ୍ନ ପୂରଣ କରିପାରିବେ । ଟ୍ରମ୍ପ କହିଛନ୍ତି, "ଆମେ ବିଶ୍ୱାସ କରୁଛୁ ଯେ ଆପଣ ଜଣେ ଡାକ୍ତର, ଜଣେ ଆକାଉଣ୍ଟାଣ୍ଟ, ଜଣେ ଓକିଲ କିମ୍ବା ଜଣେ ବିମାନ ଟ୍ରାଫିକ୍ ନିୟନ୍ତ୍ରକ ହୁଅନ୍ତୁ, ଆପଣଙ୍କୁ ଜାତି କିମ୍ବା ଲିଙ୍ଗ ନୁହେଁ, ବରଂ ଦକ୍ଷତା ଏବଂ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯିବା ଉଚିତ । ସୁପ୍ରିମକୋର୍ଟ ଏକ ସାହସିକ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ନିଷ୍ପତ୍ତିରେ ଆମକୁ ଏହା କରିବାକୁ ଅନୁମତି ଦେଇଛନ୍ତି ।"
ଟ୍ରମ୍ପ ଆହୁରି କହିଛନ୍ତି, "ଆମେ ଆମର ପବ୍ଲିକ୍ ସ୍କୁଲଗୁଡ଼ିକରୁ କ୍ରିଟିକାଲ୍ ରେସ୍ ଥିଓରୀର ବିଷକୁ ଦୂର କରିଦେଇଛୁ । ମୁଁ ଏକ ଆଦେଶରେ ସ୍ୱାକ୍ଷର କରିଛି ଯାହା ଏହାକୁ ଯୁକ୍ତରାଷ୍ଟ୍ର ସରକାରଙ୍କ ସରକାରୀ ନୀତି କରିଥାଏ ଯେ କେବଳ ଦୁଇଟି ଲିଙ୍ଗ, ପୁରୁଷ ଏବଂ ମହିଳା।"