ଆମେରିକା: ଆମେରିକା ଓ ଚୀନ ଭିତରେ ଏବେ ଟାରିଫ୍ ୱାର ଚାଲିଛି । ଉଭୟେ ଦେଶ ପରସ୍ପର ଉପରେ ଟିକସ ଲାଗୁ କରୁଛନ୍ତି । ଏହାରି ଭିତରେ ଏବେ ଆମେରିକା ପୁଣିଥରେ ଚୀନକୁ ଝଟକା ଦେଇଛି । ଆମେରିକାର ଜଣେ ବିଚାରପତି କୋଭିଡ଼ ମହାମାରୀ ପାଇଁ ଚୀନକୁ ଦୋଷୀ କରିବା ସହ ଚୀନ ଉପରେ ୨୪ ଆରବ ଡଲାର (ପ୍ରାୟ ୨ ଲକ୍ଷ ୯ହଜାର ୧୬୦ କୋଟି) ଜରିମାନା ଲଗାଇଛନ୍ତି । ଆମେରିକା ମିସୌରି ରାଜ୍ୟର ବିଚାରପତି ଜଜ୍ ଷ୍ଟିଫେନ୍ ଏନ୍ ଲିମ୍ବାଗ୍ ଚୀନକୁ ଦୋଷୀ ସାବ୍ୟସ୍ତ କରି ଏହି ଜରିମାନା ଲଗାଇଛନ୍ତି ।
୨୦୨୦ ମସିହାରେ ମିସୋରି ଆଟର୍ଣ୍ଣିଂ ଜେନେରାଲଙ୍କ ପକ୍ଷରୁ ଚୀନ ସରକାରଙ୍କ ବିରୁଦ୍ଧରେ ପିଟିସନ ଫାଇଲ ହୋଇଥିଲା । ଚୀନ ସରକାର କୋଭିଡ଼ ଭୂତାଣୁ ବାବଦରେ ତଥ୍ୟ ଲୁଚାଇବା ଏବଂ ପିପିଇ କିଟ୍ ପୋଗାଣରେ ବାଧା ଉପୁଜାଇଥିବା ନେଇ ପିଟିସନରେ ଦର୍ଶାଯାଇଥିଲା । ଏଥିସହ ମହାମାରୀ ଯୋଗୁଁ ସାରା ବିଶ୍ୱ ବିପଦରେ ପଡ଼ି ଚିନ୍ତିତ ଥିବା ବେଳେ ଚୀନ ସମସ୍ତଙ୍କୁ ଭୂଆଁ ବୁଲାଉଥିଲା ବୋଲି ଅଭିଯୋଗ ହୋଇଛି ।
ବିଚାରପତି ଲିମ୍ବାଗ କହିଥିଲେ, ଚୀନ ଦ୍ୱାରା ପିପିଇ କିଟ୍ ଯୋଗାଣରେ ବାଧା ସୃଷ୍ଟି କରାଯାଇଥିଲା । ଏଥିପାଇଁ ଆମେରିକା ମହାମାରୀ ମୁକାବିଲ କରିବା ଲାଗି ପର୍ଯ୍ୟାପ୍ତ ଉପକରଣ କ୍ରୟ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଲା । ଏଥିପାଇଁ ଚୀନର ଶାସକ କମ୍ୟୁନିଷ୍ଟ ଦଳ, ସେଠାକାର ସରକାର, ସ୍ୱାସ୍ଥ୍ୟ ଏଜେନ୍ସି ଓ ଲ୍ୟାବ୍ ଦାୟୀ ବୋଲି ଆମେରିକା କହିଛି । ସେପେଟ ପିଟିସନ୍ ଦାଖଲ ପରେ ଚୀନ ଆମେରିକା ଅଦାଳତରେ ହାଜର ହୋଇନାହିଁ । ପିଟିସନ୍ ଫାଇଲ କରିଥିବା ମିସୋରି ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି, କୋଭିଡ଼ ମହାମାରୀକୁ ସାରା ବିଶ୍ୱରେ କାୟା ମେଲାଇବାରେ ଚୀନ ଉତ୍ତରଦାୟୀ, ଏଥିରୁ ସେ ବର୍ତ୍ତି ପାରିବ ନାହିଁ, ଏହି ମାମଲାରେ ଶୁଣାଣୀ କରି ଆମେରିକା ଚୀନ ଉପରେ ୨୪ ଆରବ ଡଲାର (ପ୍ରାୟ ୨ ଲକ୍ଷ ୯ହଜାର ୧୬୦ କୋଟି) ଜରିମାନା ଲଗାଇଛି । ସେପଟେ ଚୀନ କହିଛି ମକଦ୍ଦମା ସ୍ୱାର୍ଥହାନି ହେଲେ ନିଆଯିବ ପଦକ୍ଷେପ ।
ୱାସିଂଟନରେ ଥିବା ଚୀନ ଦୂତାବାସର ଜଣେ ମୁଖ୍ୟପାତ୍ର କହିଛନ୍ତି, ମିସୌରୀ ଅଦାଳତଙ୍କ ରାୟକୁ ଚୀନ କେବେ ବି ସ୍ୱୀକାର କରିବ ନାହିଁ । ଏଭଳି ମକଦ୍ଦମା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏଥିରେ ଚୀନର ସ୍ୱାର୍ଥ କ୍ଷତିଗ୍ରସ୍ତ ହେଲେ ଅନ୍ତର୍ଜାତୀୟ ଆଇନ୍ ଅନୁସାରେ ଏହା ବିରୁଦ୍ଧରେ ଦୃଢ ପଦକ୍ଷେପ ନିଆଯିବ ।