ନବରଙ୍ଗପୁର ; ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡାଵିରିଗୁଡ଼ା ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଯାଇଛି । ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ଘମା ଗୈାଡ ବୋଲି ଜଣାପଡିଛି ।
ସୂଚନା ଅନୁସାରେ , ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ଅନ୍ତର୍ଗତ ଗମିଆଗଡା ଗ୍ରାମର କିଛି ପୁରୁଷ ଓ ମହିଳା ଟ୍ରାକ୍ଟର ଡାଲାରେ ବସି ରାସ୍ତା କାମରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ଡାଵିରିଗୁଡ଼ା ଗ୍ରାମ ଛକ ନିକଟରେ ହାଇଡ୍ରୋଲିକ ଡାଲା ଉପରକୁ ହୋଇଯାଇଥିଲା। ଫଳରେ ଟ୍ରାକ୍ଟର ଡାଲାରେ ବସିଥିବା ଶ୍ରମିକମାନେ ରାସ୍ତା ଉପରେ ପଡ଼ି ଯାଇଥିଲେ। ଯେଉଁଥିରେ ଘମା ଗୈାଡ ନାମକ ମହିଳାଙ୍କ ପଛ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ।
ଏହାପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲେ ମଧ୍ୟ ସେଠାରେ ଘମା ଗୌଡ଼ଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ କ୍ଷତିପୂରଣ ଦାବି ନେଇ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି ।