ଭୁବନେଶ୍ୱର: ରାଜ୍ୟରେ ୧୩୭ ଜଣ ବିଧାୟକ ଏବଂ ସାଂସଦଙ୍କ ନାଁରେ ରହିଛି ଫୌଜଦାରୀ ମାମଲା । ବର୍ତ୍ତମାନ ଏବଂ ପୂର୍ବତନ ସାଂସଦ ଓ ବିଧାୟକମାନଙ୍କ ସହ ଜଡ଼ିତ ଅପରାଧିକ ମାମଲାର ବିଚାରକୁ ତ୍ୱରାନ୍ୱିତ କରିବାକୁ ମୋଟ ୧୪ଟି ସ୍ୱତନ୍ତ୍ର ଅଦାଲତ ନିର୍ଦ୍ଧାରଣ କରାଯାଇଛି । ଏ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ ସଂସଦୀୟ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ ଓଡ଼ିଶାର କେତେ ଜଣ ସାଂସଦ ଓ ପୂର୍ବତନ ସାଂସଦ ତଥା ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ବିରୁଦ୍ଧରେ କେତେ ସଂଖ୍ୟାରେ ଫୌଜଦାରୀ ମାମଲା ରହିଛି ଏବଂ ଏହା କେଉଁ କେଉଁ ପର୍ୟ୍ୟାୟରେ ଅଛି, ସେଥି ମଧ୍ୟରୁ ରାଜନୈତିକ ମାମଲା ଏବଂ ଏହାର ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ ? ମନ୍ତ୍ରୀ ଡାକ୍ତର ମହାଲିଙ୍ଗ ଉତ୍ତରରେ କହିଛନ୍ତି ରାଜ୍ୟରେ ୨୨ ଜଣ ସାଂସଦଙ୍କ ବିରୋଧରେ ୩୯ଟି ଫୌଜଦାରୀ ମାମଲା ରହିଛି । ସେହିପରି ୧୧୫ ଜଣ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ବିରୋଧରେ ୪୧୮ଟି ମାମଲା ରହିଛି । ସେଥିମଧ୍ୟରୁ ୩୮୪ଟି ମାମଲା ବିଚାରଧିନ ରହିଥିବାବେଳେ ୧୪ଟିରେ ବିଚାର ଶେଷ ହୋଇଛି । ସେହିପରି ୪୩ଟି ମାମଲାରେ ବିଚାର ତଦନ୍ତଧୀନ ରହିଛି । ଏହି ମାମଲା ମଧ୍ୟରୁ ୧୯୮ଟି ମାମାଲ କେବଳ ସମ୍ପୂର୍ଣ୍ଣ ରାଜନୈତିକ ମାମଲା ରହିଛି ।
ସମ୍ପୂର୍ଣ୍ଣ ରାଜନୈତିକ ମାମଲାଗୁଡ଼ିକ ତ୍ୱରିତ ଫଇସଲ ନିମନ୍ତେ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସେକ୍ୟୁଟର ମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଅପରାଧିକ ମାମଲାର ବିଚାରକୁ ତ୍ୱରାନ୍ୱିତ କରିବା ପାଇଁ ମୋଟ ୧୪ଟି ସ୍ୱତନ୍ତ୍ର ଅଦାଲତ ନିର୍ଦ୍ଧାରଣ କରାଯାଇଅଛି । ଏହି ଅଦାଲତ ଗୁଡ଼ିକ ମଧ୍ୟରେ ୩ଟି ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଅଦାଲତ ଏବଂ ୧୧ଟି ମାଜିଷ୍ଟ୍ରେଟ୍ ଅଦାଲତ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ କହିଛନ୍ତି ।