ଭୁବନେଶ୍ୱର: ସହି ହେଲାନି ବ୍ରେନ୍ କ୍ୟାନସରର ଯନ୍ତ୍ରଣା । ରୋଗର ଯନ୍ତ୍ରଣା ଯେତିକି ବାଧୁ ନଥିଲା, ବାପା-ମାଙ୍କର ଦୁର୍ବଳ ଆର୍ଥିକ ସ୍ଥିତିର କଷ୍ଟ ସେତିକି ବାଧୁଥିଲା । ଶେଷରେ ଆତ୍ମହତ୍ୟାର ବାଟ ବାଛିନେଲେ ପୀଡ଼ିତା । ଖୋର୍ଦ୍ଧା ତମାଣ୍ଡୋ ଥାନା ଅନ୍ତର୍ଗତ ରଣସିଂହପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ୨୬ ବର୍ଷୀୟ ଲିଜା ସାମଲ । ରବିବାର ଅପରାହ୍ନରେ ଘରେ କେହି ନ ଥିବା ବେଳେ ସେ ଗାଧୁଆଘରେ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ବ୍ରେନ୍ କ୍ୟାନସରରେ ପୀଡ଼ିତ ଲିଜାଙ୍କର ଏମସରେ ଚିକିତ୍ସା ଚାଲିଥିଲା । ନିୟମିତ ବ୍ୟବଧାନରେ ତାଙ୍କୁ କେମୋ ଦିଆଯାଉଥିଲା । ତେଣୁ ତାଙ୍କ ବାପା ରଣସିଂପୁରର ଏକ ଭଡ଼ା ଘର ନେଇ ରହୁଥିଲେ । ସେଠାରେ ବାପା ଓ ସାନ ଭଉଣୀଙ୍କ ସହ ରହୁଥିଲେ ପୀଡ଼ିତା ଲିଜା । ଏପଟେ ନିଜ ରୋଗର ଯନ୍ତ୍ରଣା ଓ ଅନ୍ୟପଟେ ପରିବାର ଆର୍ଥିକ କଷ୍ଟ ଦେଖି ସେ ଅଧିକାଂଶ ସମୟରେ ମାନସିକ ଅବଶାଦରେ ରହୁଥିଲେ ଓ ତୁରନ୍ତ ତାଙ୍କର ମୃତ୍ୟୁ ହେଉଯାଉ ବୋଲି ସେ ଚାହୁଁଥିଲେ । ତେବେ ଏନେଇ ପରିବାର ଲୋକେ ତାଙ୍କୁ ବହୁ ସୁଝା କରୁଥିଲେ । ହେଲେ ରବିବାର ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି । ଘଟଣା ପରେ ତମାଣ୍ଡୋ ଥାନା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଉଛି ।