ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଲାଗିଛି ଏକ ବଡ଼ ଝଟକା । ଆଇପିଏଲରୁ ଓହରିଛନ୍ତି ଇଂଲଣ୍ଡର ସୁନାମ ଧନ୍ୟ କ୍ରିକେଟର୍ ହ୍ୟାରି ବ୍ରୁକ୍ । ସେ ଲଗାତର ଦ୍ୱିତୀୟ ଥର ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ତେଣୁ ତାଙ୍କୁ ଆଇପିଏଲରୁ ବ୍ୟାନ୍ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ହ୍ୟାରି ବ୍ରୁକ୍ ଆଗାମୀ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳି ଥାଆନ୍ତେ । କିନ୍ତୁ ଏହା ପୂର୍ବରୁ ସେ ଆଇପିଏଲରୁ ଓହରି ଯାଇଛନ୍ତି । ମେଗା ନିଲମୀରେ ଦିଲ୍ଲୀ ତାଙ୍କୁ ୬ କୋଟି ୨୫ ଲକ୍ଷରେ କିଣିଥିଲା । ଇଂଲଣ୍ଡ ଦଳର ଅଧିନାୟକ ପଦ ଦୌଡ଼ରେ ରହିଛନ୍ତି । ସେଥିପାଇଁ ସେ ଆଇପିଏଲରୁ ନିଜ ନାଁକୁ ପ୍ରତ୍ୟାହୃତ କରିଥିବା କୁହାଯାଉଛି ।
ତେବେ ହ୍ୟାରି ବ୍ରୁକ ପ୍ରଥମ ଥର ପାଇଁ ଏପରି କରି ନାହାଁନ୍ତି । ୨୦୨୪ରେ ମଧ୍ୟ ସେ ଆଇପିଏଲରୁ ଓହରିଯାଇଥିଲେ । ନିଜ ଜେଜେ ମାଆଙ୍କ ସମସ୍ୟା ଯୋଗୁଁ ଏପରି କରିଥିଲେ । ଆଇପିଏଲର ସଦ୍ୟତମ ନିୟମ ଅନୁଯାୟୀ ମେଗା ଅକ୍ସନ୍ ପରେ କେହି ଯଦି ନାଁ ପ୍ରତ୍ୟାହୃତ କରେ ତେବେ ସେମାନଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ବିତ କରାଯିବ । ତେଣୁ ଲଗାତର ଦୁଇ ବର୍ଷ ହେବ ନିଲାମ ପରେ ସେ ଖେଳରୁ ନାଁ ପ୍ରତ୍ୟାହୃତ କରୁଥିବାରୁ ତାଙ୍କୁ ଏବେ ନିଲମ୍ବନ କରାଯାଇ ପାରେ । କେବଳ ସ୍ୱାସ୍ଥ୍ୟ ଗତ ସମସ୍ୟା କିମ୍ବା କିଛି ଶାରୀରିକ ଆଘାତ ଲାଗିଥିବା କ୍ଷେତ୍ରରେ ଏହି ନିୟକ ଲାଗୁ ହେବ ନାହଁ ।
ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ଗତ ସପ୍ତାହରେ ବିସିସିଆଇ ଏବଂ ଦିଲ୍ଲୀ କ୍ୟାପିଟାଲ୍ସକୁ ସୂଚିତ କରିଥିଲା ଯେ ହ୍ୟାରି ବ୍ରୁକ୍ ଆଇପିଏଲରେ ୨୦୨୫ରେ ଅଂଶଗ୍ରହଣ କରିବେ ନାହିଁ । ଦିଲ୍ଲୀ କ୍ୟାପିଟାଲ୍ସ ବ୍ରୁକଙ୍କ ପାଇଁ ଆରଟିଏମ ବ୍ୟବହାର କରି ନଥିଲା କିନ୍ତୁ ନିଲାମରେ ତାଙ୍କୁ ୬.୨୫ କୋଟି ଟଙ୍କାରେ କିଣିଥିଲା।
ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡର ଖରାପ ପ୍ରଦର୍ଶନ ପରେ ଜୋସ୍ ବଟଲର୍ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଇଂଲଣ୍ଡର ପରବର୍ତ୍ତୀ ସୀମିତ ଓଭର ଅଧିନାୟକ ହେବା ଦୌଡ଼ରେ ବ୍ରୁକଙ୍କ ନାମ ବହୁତ ଆଗରେ ଅଛି । ବ୍ରୁକ୍ ଭାରତ ଗସ୍ତ ଏବଂ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡର ଉପ-ଅଧିନାୟକ ଥିଲେ । ଇଂଲଣ୍ଡର ତିନୋଟି ଫର୍ମାଟ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ରହିପାରିବେ ବୋଲି ରୋବ କୀ ପରାମର୍ଶ ଦେଇଛନ୍ତି ।