ଭୁବନେଶ୍ୱର : ହାତକୁ ଦି ହାତ ହେବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ଆସନ୍ତାକାଲି ମାର୍ଚ୍ଚ ୧୨ ଗୋଆରେ ହେବ ଡେଷ୍ଟିନେସନ ୱେଡିଂ। କେନ୍ଦ୍ରାପଡା ଝିଅ ସୁଶ୍ରୀ ସଙ୍ଗୀତାଙ୍କୁ କରିବେ ଜୀବନସାଥୀ । ନିଜ ଭାବୀ ପତ୍ନୀଙ୍କ ସହ ପ୍ରଦୀପଙ୍କ ପ୍ରି ୱେଡିଂ ଫଟୋ ଭାଇରାଲ ହେବା ପରେ ଖବର ସାମ୍ନାକୁ ଆସିଛି। ଏନେଇ ପ୍ରଦୀପ ମାଝୀ ମଧ୍ଯ ନିଜ ପ୍ରତିକ୍ରିୟା ଦେଇଛନ୍ତି।
ଯାହା ସୂଚନା ରହିଛି ସତ୍ୟନଗର ଜିମ୍ ରୁ ଦେଖାହେବା ପରେ ଉଭୟଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୩ ବର୍ଷ ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ଯାଉଛନ୍ତି । ଉଭୟ ପରିବାରର ସହମତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ବିବାହ ପରେ ନବରଙ୍ଗପୁରରେ ଏକ ବଡ ଭୋଜିର ଆୟୋଜନ ହେବ । ହେଲେ ଗୋଆରେ ୫୦ ରୁ ୬୦ ଜଣ ବିବାହରେ ଯୋଗ ଦେବେ। କେବଳ ନବରଙ୍ଗପୁରରୁ ଅତିଥି ଗୋଆ ଆସିଥିବାର ସୂଚନା ରହିଛି । ପ୍ରଦୀପ କହିଛନ୍ତି ଯେ ସେ କେବେ ବି ଭାବି ନଥିଲେ ବିବାହ କରିବେ,ସାଂସାରିକ ଜୀବନ ପାଇଁ ବିବାହ ଏକ ପାର୍ଟ୍, ବିଳମ୍ବରେ ହେଲେ ବି ଶେଷରେ ନିଷ୍ପତ୍ତି ନେଇଛି।
ତେବେ ପ୍ରଦୀପଙ୍କ ପତ୍ନୀ ସୁଶ୍ରୀ ଜଣେ ପୂର୍ବତନ ସାମ୍ବାଦିକା ଯିଏ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ମାସ୍ କମ୍ୟୁନିକେଶନରେ ଅଧ୍ଯୟନ କରିଛନ୍ତି । ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ । ପୂର୍ବରୁ ସେ କଂଗ୍ରେସ ସାଂସଦ ଥିଲେ । ଏହାପରେ ବିଜେଡିରେ ମିଶିଥିଲେ। ୨୦୨୪ ନିର୍ବାଚନରେ ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ହାରିଯାଇଥିଲେ ।