ୱାଶିଂଟନ୍: ଆମେରିକାରେ ଲଜ୍ଜିତ ହୋଇଛି ପାକିସ୍ତାନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସନ ଉପରେ କଠୋର ଆଭିମୁଖ୍ୟ ଯୋଗୁଁ ବର୍ତ୍ତମାନ ଆଫଗାନିସ୍ତାନ ଏବଂ ପାକିସ୍ତାନକୁ ହଟହଟା ହେବାକୁ ପଡ଼ିଛି । ତୁର୍କମେନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ ଏବଂ ତାଙ୍କୁ ଫେରାଇ ଦିଆଯାଇଛି ।
ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ସାମା ଟିଭିର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ରାଷ୍ଟ୍ରଦୂତ କେ.କେ. ଆହସାନ ୱାଗାନ ଏକ ବ୍ୟକ୍ତିଗତ କାମରେ ଲସ୍.ଏଞ୍ଜେଲସ୍ ଗସ୍ତ କରୁଥିଲେ । କିନ୍ତୁ ତୁର୍କମେନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତ କେ.କେଙ୍କୁ ଅଟକା ଯାଇଥିଲା । ତାଙ୍କୁ ଆମେରିକା ଯିବାକୁ ଅନୁମତି ପ୍ରଦାନ କରାଯାଇ ନ ଥିଲା । ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ପୁଷ୍ଟି କରିଛନ୍ତି । ତାଙ୍କ ନିକଟରେ ପାସପୋର୍ଟ, ଭିସା ଏବଂ ଆବଶ୍ୟକୀୟ କାଗଜପତ୍ର ଥିଲା । କିନ୍ତୁ ଆମେରିକୀୟ ଅଧିକାରୀମାନେ ତାଙ୍କୁ ବିମାନବନ୍ଦରରେ ଅଟକାଇ ଦେଇଥିଲେ । ଫଳର ସେ ଫେରିଆସିଥିଲେ । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଲସ୍.ଏଞ୍ଜେଲସ୍ରେ ଥିବା ପାକିସ୍ତାନୀ କନସୁଲେଟ୍କୁ ଏହି ଘଟଣାର ତଦନ୍ତ କରିବାକୁ କହିଛି।
ରାଷ୍ଟ୍ରପତି ଟ୍ରମ୍ପ ନିକଟ ଭବିଷ୍ୟତରେ ଆଫଗାନିସ୍ତାନ ଏବଂ ପାକିସ୍ତାନର ଲୋକମାନଙ୍କୁ ଆମେରିକାରେ ପ୍ରବେଶ କରିବାକୁ ନିଷେଧ କରିବାକୁ ନେଇ କିଛି ନୂତନ ନିର୍ଦ୍ଦେଶାବଳୀ ଆଣିବାର ସୂଚନା ରହିଛି । ଟ୍ରମ୍ପ ପ୍ରଶାସନ ଦେଶର ସୁରକ୍ଷା ଏବଂ ବିପଦର ଆଶଂକାରେ ସରକାରୀ ସମୀକ୍ଷା ଆଧାରରେ ଯାତ୍ରା ପ୍ରତିବନ୍ଧକ ପାଇଁ ଦେଶଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛି । ପାକିସ୍ତାନ ଏବଂ ଆଫଗାନିସ୍ତାନ ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହି ତାଲିକାରେ ରହିପାରନ୍ତି, ତେବେ ଏଥିରେ କେଉଁ ଦେଶମାନେ ରହିବେ ସେ ନେଇ କୌଣସି ସୂଚନା ମିଳି ନାହିଁ ।