ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଥମିବାର ନାଁ ନେଉନି । ଏହି ସମସ୍ୟାର ସମାଧାନ ପାଇଁ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା ନୂଆ ପଦକ୍ଷେପ ନେଇଛନ୍ତି । ପରିବହନ ମନ୍ତ୍ରୀ ପଙ୍କଜ କୁମାର ସିଂ ନୂଆ ଇଭି ପଲିସି ୨.୦ ଘୋଷଣା କରିଛନ୍ତି । ଏହି ନୂଆ ନିୟମ ଅନୁସାରେ ୨୦୨୭ ସୁଦ୍ଧା ଦିଲ୍ଲୀରେ ପଞ୍ଜୀକରଣ ହୋଇଥିବା ଗାଡିରୁ ୯୫ ପ୍ରତିଶତ କେବଳ ଇଲେକ୍ଟ୍ରିକ୍ ଗାଡି ଭାବେ ପଞ୍ଜୀକୃତ ହେବାକୁ ଲକ୍ଷ୍ୟ ରଖିଛନ୍ତି ।
ଦିଲ୍ଲୀରେ ଇଭି ନିୟମ ପ୍ରଥମ ଥର ୨୦୨୦ ମସିହାରେ ଆସିଥିଲା ଯାହା ୨୦୨୪ରେ ସମାପ୍ତ ହୋଇଯାଇଥିଲା । କିନ୍ତୁ ଏବେ ଏହି ନୂଆ ନିୟମ ପୁରୁଣା ନିୟମ ବଦଳରେ ଲାଗୁ ହେବ । ସମସ୍ତ ସିଏନଜି ଅଟୋ-ରିକ୍ସା, ଟ୍ୟାକ୍ସି ଏବଂ ଲାଇଟ କମର୍ସିଆଲ ଭେଇକଲକୁ ଇଲେକ୍ଟ୍ରିକରେ ପରିଣତ କରାଯିବ । ସମସ୍ତ ବସ୍ ସମ୍ପୂର୍ଣ୍ଣ ରୂପେ ଇଲେକ୍ଟ୍ରିକ୍ ହେବ । ଇଲେକ୍ଟ୍ରିକ୍ ଦୁଇଚକିଆ, ତିନି ଚକିଆ, ଏଲସିଭି ଓ ଟ୍ରକର କ୍ରୟ ଉପରେ ଇନସେନଟିଭ୍ ମିଳିବ ଯାହା ଫଳରେ ଲୋକେ ପେଟ୍ରୋଲ-ଡିଜେଲ ଗାଡିରୁ ଇଭି ଦିଗକୁ ଅଗ୍ରସର ହେବେ ।
କ୍ୟାବ୍, ଡେଲିଭରୀ ସେବା ଓ ଅନ୍ୟ ବାଣିଜ୍ୟିକ ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ । ନିୟମକୁ କଡାକଡି ଭାବେ ଲାଗୁ କରାଯିବ । ଇଭି ସେଲ୍ସ, ସର୍ଭିସିଂ, ଫାଇନାନ୍ସିଂ ଓ ବ୍ୟାଟେରୀ ମ୍ୟାନେଜମେଣ୍ଟରେ ନୂଆ ନିଯୁକ୍ତି ସୃଷ୍ଟି ହେବ । ଏହି ନୂଆ ନିୟମ କେବଳ ଗାଡି ମାଲିକଙ୍କୁ ଇଲେକ୍ଟ୍ରିକ୍ ଗାଡି ପ୍ରତି ଆକର୍ଷିତ କରିବ ତା ନୁହେଁ, ବରଂ ପ୍ରଦୂଷଣ କମାଇବାରେ ମଧ୍ୟ ସହାୟକ ହେବ ।